୭୭ ଗଣନା କେନ୍ଦ୍ରରେ ୧୬୩ ଧାରା
ନିର୍ବିଘ୍ନରେ ପଶ୍ଚିମବଙ୍ଗ ମତଦାନ ସରିଛି ।
ଗଣନା ବ୍ୟବସ୍ଥା ଯେପରି ସୁରୁଖୁରୁରେ ସମ୍ପନ୍ନ ହୋଇପାରେ ସେଥିପାଇଁ ନିର୍ବାଚନ କମିସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଆଗାମୀକାଲି ଅର୍ଥାତ ୪ତାରିଖ ସକାଳୁ ରାଜ୍ୟର ବିଭିନ୍ନ କେନ୍ଦ୍ରରେ ଭୋଟ ଗଣନା କାର୍ଯ୍ୟ ଆରମ୍ଭ ହେବ । ଇତି ମଧ୍ୟରେ ନିର୍ବାଚନ କମିସନ (ଇସିଆଇ) ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ, ୨୦୨୬ ଗଣନା ପର୍ଯ୍ୟବେକ୍ଷକଙ୍କ ସହାୟତା ନିମନ୍ତେ ୧୬୫ଜଣ ଅତିରିକ୍ତ ଗଣନା ପର୍ଯ୍ୟବେକ୍ଷକ ଏବଂ ଗଣନା କେନ୍ଦ୍ରଗୁଡ଼ିକର ଚତୁଃପାଶ୍ୱର୍ରେ ନିରାପତା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଆଇନଶୃଙ୍ଖଳା ପରିସ୍ଥିତି ତଦାରଖ ନିମନ୍ତେ ୭୭ଜଣ ପୁଲିସ ପର୍ଯ୍ୟବେକ୍ଷକଙ୍କୁ ମୁତୟନ କରାଯାଇଛି । ଏହା ବ୍ୟତୀତ ଆହୁରି ଅନେକ କଠୋର ପଦକ୍ଷେପ କମିସନ ପକ୍ଷରୁ ଗ୍ରହଣ କରାଯାଇଛି ।
କମିସନ ପକ୍ଷରୁ ଯେଉଁ ନିର୍ଦେଶ କାର୍ଯ୍ୟକାରୀ ହେବ ସେଗୁଡ଼ିକ ହେଲା –
୧ – ଗଣନାକେନ୍ଦ୍ରର ୨ଶହ ମିଟର ମଧ୍ୟରେ ଗଣନା ସହ ଯୁକ୍ତ ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟଙ୍କ ପାଇଁ ପ୍ରବେଶ ନିଷେଧ ରହିବ । ସମସ୍ତ ଗଣନାକେନ୍ଦ୍ରରେ ୧୬୩ଧାରା (ପୁରୁଣା ୧୪୪ଧାରା) ଜାରି ରହିବ ।
୨ – ସକାଳ ୮ଟାରେ ଗଣନା କାର୍ଯ୍ୟ ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ ବ୍ୟାଲଟ ଗଣନା କରାଯିବ ଏବଂ ପରେ ଇଭିଏମ୍ ପ୍ରାପ୍ତ ଭୋଟ ଗଣନା ଆରମ୍ଭ ହେବ । ଯଦି କେଉଁଠାରେ ପୋଷ୍ଟାଲ ବ୍ୟାଲଟ ନ ରହେ, ତେବେ ସେଠାରେ ଇଭିଏମ ପ୍ରାପ୍ତ ଭୋଟ ଗଣନା କାର୍ଯ୍ୟ ଆରମ୍ଭ ହେବ ।
୩ – ଗଣନାକେନ୍ଦ୍ରରେ ପ୍ରବେଶାଧିକାର ଇସିଆଇ.ଏନଇଟି ମାଧ୍ୟମରେ ଗଣନାକର୍ମୀ, ପ୍ରାର୍ଥୀ ଏବଂ ସେମାନଙ୍କ ଏଜେଂଟଙ୍କ ପାଇଁ ଜାରି କରାଯାଇଥିବା କ୍ୟୁଆର କୋର୍ଡ ଭିତିକ ଫଟୋ ଆଇଡି ଉପରେ ଭିତି କରାଯିବ ।
୪ – ଗଣନା ପର୍ଯ୍ୟବେକ୍ଷକ ଏବଂ ରିଟର୍ଣ୍ଣିଂ ଅଫିସର ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ଗଣନା କେନ୍ଦ୍ର ଭିତରେ ମୋବାଇଲ ଫୋନ ନେଇ ପ୍ରବେଶ କରିପାରିବେ ନାହିଁ ।
୫ – ପୁଲିସ ପର୍ଯ୍ୟବେକ୍ଷକମାନେ ସେମାନଙ୍କ ପାଇଁ ନିର୍ଦ୍ଦାରିତ ବିଧାନସଭା (ଏସି) ଗଣନା କେନ୍ଦ୍ରଗୁଡ଼ିକ ଚତୁଃପାଶ୍ୱର୍ରେ ନିରାପତା ଏବଂ ଆଇନଶୃଙ୍ଖଳା ପରିସ୍ଥିତି ତଦାରଖ କରିବେ ଏବଂ ନିଶ୍ଚିତ କରିବେ ଯେ ଗଣନା କେନ୍ଦ୍ରଗୁଡ଼ିକ ପରିସରରେ ନିରାପତା ବ୍ୟବସ୍ଥା କମିସନରଙ୍କ ନିର୍ଦେଶାବଳୀ ଅନୁସାରେ ହୋଇଛି ।
୬ – ପୁଲିସ ପର୍ଯ୍ୟବେକ୍ଷକମାନେ କୌଣସି ଅବସ୍ଥାରେ ଗଣନା ଦିନ ଗଣନାକେନ୍ଦ୍ର ମଧ୍ୟରେ ପ୍ରବେଶ କରି ପାରିବେ ନାହିଁ ।
ରାଜ୍ୟର ମୋଟ ୭୭ଟି ଗଣନାକେନ୍ଦ୍ରରୁ ଏଥର ୨୯୩ଟି କେନ୍ଦ୍ର (ଫଲତା ବ୍ୟତୀତ) ଗଣନା କାର୍ଯ୍ୟ ଚାଲିବ । ଫଲତାରେ ପୁନର୍ନିବାଚନ ହେବ । ଏହା ମଧ୍ୟରେ ୧୬୫ଟି ବିଧାନସଭା କ୍ଷେତ୍ରର ଗଣନା ପର୍ଯ୍ୟବେକ୍ଷକଙ୍କ ସହାୟତା ନିମନ୍ତେ ଅତିରିକ୍ତ ଗଣନା ପର୍ଯ୍ୟବେକ୍ଷକ ନିୟୋଗ କରାଯାଇଛି, ଯେଉଁଠି ଏକାଧିକ କ୍ଷେତ୍ରର ଗଣନା ହେବ ।