ଡିସିପି ଶାନ୍ତନୁଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି
ପଶ୍ଚିମବଙ୍ଗରେ କ୍ଷମତା ପରିବର୍ତନ ସହିତ ଦୁର୍ନୀତିଗ୍ରସ୍ତଙ୍କ ଉପରେ ଆଇନ ବ୍ୟବସ୍ଥା କଡାକଡ଼ି ହେବା ଆରମ୍ଭ ହୋଇଛି ।
କଲକାତା ଡେପୁଟି ପୁଲିସ କମିସନର (ଡିସିପି) ଶାନ୍ତନୁ ସିହ୍ନା ବିଶ୍ୱାସଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରାଯାଇଛି ।
ଡିସିପି ଶାନ୍ତନୁଙ୍କ ବିରୋଧରେ ଇଡି ଏହି ଲୁକଆଟଟ ନୋଟିସ ଜାରି କରିଛି । ସୋନା ପପପୁ ମାମଲା ସହିତ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଇଡି ସନେ୍ଦହ କରୁଛି ଯେ ଡିସିପି ଶାନ୍ତନୁ ଦେଶ ଛାଡ଼ି ପଳାଇବାକୁ ପ୍ରସ୍ତୁତ ହେଉଛନ୍ତି । ତେଣୁ ଇଡି ଡିସିପି ଶାନ୍ତନୁଙ୍କ ବିରୋଧରେ ଲୁକଆଟ ନୋଟିସ ଜାରି କରିଛି ।
ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟରେ ଦ୍ୱିତୀୟ ଏବଂ ଶେଷ ପର୍ଯ୍ୟାୟ ଭୋଟ ହେବାର ଠିକ ଗୋଟିଏ ଦିନ ପୂର୍ବରୁ ପ୍ରବର୍ତନ ନିର୍ଦେଶାଳୟ ସେନା ପପପୁ ସହ ଜଡ଼ିତ ଏକ ସିଣ୍ଡିକେଟ ମାମଲାରେ ପଚରାଉଚରା ପାଇଁ ଶାନ୍ତନୁଙ୍କୁ ପୁନର୍ବାର ସମନ କରିଥିଲା ।
ଇଡି ଅଧିକାରୀଙ୍କ ଅନୁଯାୟୀ ସୋନା ପପପୁ ଓରଫ ବିଶ୍ୱଜିତ ପୋଦ୍ଦାର ଦ୍ୱାରା ପରିଚାଳିତ ଏକ ଅପରାଧିକ ସିଣ୍ଡିକେଟ ବିରୋଧରେ ମନି ଲଣ୍ଡରିଂ ତଦନ୍ତର ଅଂଶ ଭାବେ ତାଙ୍କୁ ସମନ କରାଯାଇଥିଲା । ଜଣାପଡ଼ିଛି ଯେ ଦକ୍ଷିଣ କଲକାତାର ବାଲିଗଞ୍ଜର ବାସିନ୍ଦା ସୋନା ପପପୁଙ୍କ ବିରୋଧରେ ଜମି ହଡ଼ପ ଏବଂ ବଟି ଆଦାୟ ସମେତ ଅନେକ ଅଭିଯୋଗ ରହିଛି ।
ତାଙ୍କ ବିରୋଧରେ ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ଏକ ମାମଲା ମଧ୍ୟ ରୁଜୁ ହୋଇଛି । ଏହି ଅଭିଯୋଗ ପରେ ଇଡି ତଦନ୍ତ ଆରମ୍ଭ କରିଛି । ତଦନ୍ତକାରୀ ସଂସ୍ଥାର ଅଧିକାରୀମାନେ ସେହି ମାମଲାରେ ବ୍ୟବସାୟୀ ଜୟ କାମଦାରଙ୍କୁ ଗିରଫ କରି ସାରିଛନ୍ତି । ସେହି ମାମଲାରୁ ସଂଗୃହୀତ ସୂଚନା ଆଧାରରେ ଇଡି ଚଳିତ ମାସରେ ଶାନ୍ତନୁଙ୍କ ଫର୍ଣ୍ଣ ରୋଡସ୍ଥିତ ଘରେ ଚଢ଼ଉ କରିଥିଲା । ତଦନ୍ତ ଆରମ୍ଭ ହେବା ପରଠାରୁ ତାଙ୍କୁ ସାଧାରଣରେ ଆଉ ଦେଖାଯାଇ ନାହିଁ ।
ଇଡି ସୋନା ପପପୁ ମାମଲା ସହିତ ଜଡ଼ିତ ଶାନ୍ତନୁ ଏବଂ ତାଙ୍କ ଦୁଇ ପୁଅ ସାୟନ୍ତନ ଏବଂ ମନୀଷଙ୍କୁ ସିଜିଓ କମ୍ପ୍ଲେକ୍ସକୁ ଡକାଇଥିଲା । ତେବେ ସେହି ଦିନ ସେମାନଙ୍କ ମଧ୍ୟରୁ କେହି ଇଡି କାର୍ଯ୍ୟାଳୟକୁ ଯାଇ ନଥିଲେ । କିଛିଦିନ ପୂର୍ବେ ଏକ ବାଲି ଚୋରା ଚାଲାଣ ମାମଲାର ତଦନ୍ତ ପାଇଁ ଇଡି ଭବାନୀପୁରର କାଳିଘାଟ ଥାନାର ପୂର୍ବତନ ଇନଚାର୍ଜ ଶାନ୍ତନୁଙ୍କୁ ସମନ କରିଥିଲା ।
କିନ୍ତୁ ସେ ଇଡି ଅଧିକାରୀଭ୍କ ସମ୍ମୁଖରେ ହାଜର ହୋଇ ନଥିଲେ । ବରଂ ତାଙ୍କ ଓକିଲ ଇଡି କାର୍ଯ୍ୟାଳୟକୁ ଯାଇଥିଲେ ।
ଇଡି ଏକ ବାଲି ଚୋରା ଚାଲାଣ ମାମଲାରେ ଆର୍ଥିକ ଠକେଇ ଅଭିଯୋଗର ତଦନ୍ତ କରୁଛି । ସୂଚନା ମିଳିଛି ଯେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅଧିକାରୀମାନେ ଏହି ମାମଲାରେ ଶାନ୍ତନୁଙ୍କୁ ପଚରାଉଚରା କରିବାକୁ ଚାହାଁନ୍ତି ।