ଥାନା ଆଗରୁ ଯୁବକଙ୍କୁ ଅପହରଣ
ମାଡ଼ ମାରି ନେଇଗଲେ ୮୫ ହଜାର ଟଙ୍କା
ରାଜ୍ୟର ରାଜଧାନୀ ଭୁବନେଶ୍ୱର ଏବେ ଅପରାଧୀଙ୍କ ଚରାଭୂଇଁ ପାଲଟିଲାଣି । ପ୍ରତିଦିନ ଏଠାରେ ଚୋରି, ଲୁଟ, ଅପହରଣ, ହତ୍ୟା ବା ହତ୍ୟା ଉଦ୍ୟମ ଭଳି ଘଟଣାମାନ ଘଟୁଛି । ଅପରାଧୀଙ୍କ ସାହାସ ଏତେ ବଢ଼ି ସାରିଲାଣି ଯେ ସେମାନେ ପୁଲିସ ବା ଥାନାକୁ ତିଳେ ମାତ୍ର ଖାତିର କରୁନାହାନ୍ତି; ଯାହାକି ଆଜିର ଏକ ଅପହରଣ ଘଟଣାରୁ ସତ୍ୟ ପ୍ରମାଣିତ ହୋଇଛି ।
ଭୁବନେଶ୍ୱରର ମୈତ୍ରୀବିହାର ଥାନା ଆଗରୁ ଜଣେ ଯୁବକଙ୍କୁ ଅପହରଣ କରିନିଆଯାଇଥିବା ନେଇ ଅଭିଯୋଗ ହୋଇଛି । ତେବେ ଯୁବକ ଜଣକ ଅପହରଣକାରୀଙ୍କ କବଜାରୁ ଖସି ଆସିବା ପରେ ନିଜେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି ।
ଅପହରଣକାରୀମାନେ ନିଜକୁ ସ୍ପେଶାଲ ସ୍କ୍ୱାର୍ଡ କହି ତାଙ୍କୁ ଉଠାଇ ନେଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି । ଏହି ଅପହରଣରେ ୬ରୁ ୭ ଜଣ ଲୋକ ସାମିଲ ଥିବା ସେ କହିଛନ୍ତି ।
ତାଙ୍କୁ ଏକ ବନ୍ଦ ଘରେ ରଖି ଅପହରଣକାରୀମାନେ ମାଡ଼ ମାରି ୮୫ ହଜାର ଟଙ୍କା ଓ ମୋବାଇଲ ଲୁଟି ନେଇଥିବା ସେ କହିଛନ୍ତି ।
ତେବେ ପୂର୍ବ ଶତ୍ରୁତାରୁ ଏଭଳି ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତ କରି ଜାଣିପାରିଛି ।