ଶୁଭେନ୍ଦୁଙ୍କ ପିଏଙ୍କୁ ହତ୍ୟା ଘଟଣା
ବ୍ୟବହୃତ କାର ଜବତ, ନମ୍ବର ପ୍ଲେଟ ଜାଲ : ଡିଜିପି
ପଶ୍ଚିମବଙ୍ଗରେ ନିର୍ବାଚନ ପରେ ହିଂସା ଲାଗିରହିଛି । ମମତାଙ୍କ ତୃଣମୂଳ କଂଗ୍ରେସ (ଟିଏମସି) ଓ ଏଠାରେ ବିଜୟ ଲାଭ କରି ସରକାର ଗଢ଼ିବାକୁ ଯାଉଥିବା ବିଜେପି କର୍ମୀଙ୍କ ମଧ୍ୟରେ ଲାଗି ରହିଛି ଛକାପଞ୍ଝା । ଏହି କ୍ରମରେ ଗତ ବୁଧବାର ରାତିରେ ବରିଷ୍ଠ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ପିଏ ଚନ୍ଦ୍ରନାଥଙ୍କୁ କିଛି ଦୁର୍ବୃତ ଅତି ନିକଟରୁ ଗୁଳି କରି ହତ୍ୟା କରିଛନ୍ତି ।
ପୁଲିସ ଏହି ହତ୍ୟାକାଣ୍ଡରେ ବ୍ୟବହୃତ ଏକ ଚାରି ଚକିଆ ଗାଡ଼ିକୁ ଜବତ କରିଛି । ଜବତ କାରର ନମ୍ବର ପ୍ଲେଟ୍ ଜାଲ ଥିବା ପଶ୍ଚିମବଙ୍ଗ ଡିଜିପି ସିଦ୍ଧନାଥ ଗୁପ୍ତା କହିଛନ୍ତି । ଏହି ଜବତ କାରକୁ ଯାଂଚ କରୁଛି ଫୋରେନସିକ ଟିମ୍ ।
ଭିଡ଼ ମଧ୍ୟରେ ଚନ୍ଦ୍ରନାଥଙ୍କ କାରକୁ କିଛି ଦୁର୍ବୃତ ଉଭୟ ୨ ଓ ଚାରି ଚକିଆ ଯାନରେ ପିଛା କରିଥିଲେ । ଭିଡ଼ରେ ଚନ୍ଦ୍ରନାଥଙ୍କ କାର ଅଟକିବା କ୍ଷଣି ଦୁର୍ବୃତମାନେ ତାଙ୍କ ଉପରକୁ ଅତି ନିକଟରୁ ୪ ରାଉଣ୍ଡ ଫାୟାରିଂ କରିଥିଲେ । ଏଥିରେ ଚନ୍ଦ୍ରନାଥଙ୍କ ଦେହରେ ୩ଟି ଗୁଳି ବାଜିଥିଲା ଓ ସେ ଗୁରୁତର ହୋଇପଡ଼ିଥିଲେ ।
ତାଙ୍କୁ ତତ୍କ୍ଷଣାତ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ପୁଲିସ ତଦନ୍ତ ଜାରି ରଖିବା ସହ ହତ୍ୟାକାରୀଙ୍କୁ ଅନ୍ୱେଷଣରେ ଲାଗି ଲାଗି ରହିଛି ।