ମମତାଙ୍କ ଇସ୍ତଫା ପ୍ରସଙ୍ଗ : ଚାହିଁ ବସିଲା ରାଜ୍ୟ
ପଶ୍ଚିମବଙ୍ଗ ରାଜନୀତିରେ ଏକ ଏପରି ଘଟଣା ଘଟୁଛି, ଯାହା ବହୁତ କମ ଲୋକ କଳ୍ପନା କରିଥିଲେ । ନିର୍ବାଚନୀ ପରାଜୟ ସତ୍ୱେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଭିମୁଖ୍ୟ ଅଟଳ ରହିଛି । ଗଣତନ୍ତ୍ରରେଏହା ଏକ ସାଧାରଣ ପରମ୍ପରା ଯେ ପରାଜୟ ପରେ ମୁଖ୍ୟମନ୍ତ୍ରୀ ରାଜଭବନରେ ତାଙ୍କ ଇସ୍ତଫା ପତ୍ର ଦାଖଲ କରିବେ ଏବଂ ନୂତନ ସରକାର ଗଠନ ହେବା ପର୍ଯ୍ୟନ୍ତ ତତ୍ୱାବଧାରକ ଭାବେ କାର୍ଯ୍ୟ କରିବେ । ତେବେ ଦିଦି ସ୍ପଷ୍ଟ କରିଛନ୍ତି ଯେ ସେ ଇସ୍ତଫା ଦେବେ ନାହିଁ, ତାଙ୍କର ଯୁକ୍ତି ଯେ ଏହା କୌଣସି ଜନାଦେଶ ନୁହେଁ, ବରଂ ତାଙ୍କ ବିରୋଧରେ ଏକ ବଡ଼ ଷଡ଼ଯନ୍ତ୍ର ।
ଗୁରୁବାର ରାତ୍ରି ପ୍ରାୟ ୧୨ଟାରେ ବିଧାନସଭାର କାର୍ଯ୍ୟକାଳ ଶେଷ ହେବା ମାତ୍ରେ, ରାଜ୍ୟରେ ଏକ ଆଇନଗତ ଶୂନ୍ୟସ୍ଥାନ ସୃଷ୍ଟି ହେବ । ଏବେ ପ୍ରଶ୍ନ ଯେ ରାଜ୍ୟପାଳ କ’ଣ ମମତା ବାନାର୍ଜୀଙ୍କୁ ବରଖାସ୍ତ କରିବେ, ନା ପଶ୍ଚିମବଙ୍ଗରେ ଗୋଟିଏ ଦିନ ବା ୨୪ଘଂଟା ପାଇଁ ରାଷ୍ଟ୍ରପତି ଶାସନ ଜାରି କରିବେ । ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ପରାଜୟ ପରେ ମମତା ବାନାର୍ଜୀଙ୍କ କ୍ରୋଧ ବୃଦ୍ଧି ପାଇଛି, ସେ ସିଧାସଳଖ ନିର୍ବାଚନ କମିସନ ଏବଂ ବିଜେପି ଉପରେ ନିର୍ବାଚନରେ ଜାଲିଆତି କରିଥିବା ଅଭିଯୋଗ କରିଛନ୍ତି ।
ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ମମତା ବାନାର୍ଜୀ ସ୍ପଷ୍ଟ କରିଛନ୍ତି ଯେ ସେ ଇସ୍ତଫା ଦେବେ ନାହିଁ, କାରଣ ସେ ବିଶ୍ୱାସ କରନ୍ତି ଯେ ନିର୍ବାଚନ ସ୍ୱଚ୍ଛ ନଥିଲା । ବରିଷ୍ଠ ଟିଏମସି ନେତାମାନେ କହିଛନ୍ତି ଯେ ଏହା ତାଙ୍କର ପ୍ରତିବାଦ କରିବାର ଏକ ଉପାୟ । ଇସ୍ତଫା ନ ଦେଇ ମମତା ବାନାର୍ଜୀ ଏକ ବାର୍ତା ଦେବାକୁ ଚାହୁଁଛନ୍ତି ଯେ ସେ ଲଢ଼ିବା ପାଇଁ ପ୍ରସ୍ତୁତ । ଅନ୍ୟପକ୍ଷରେ ସରକାରୀ ନିୟମ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ବିନା ନୂତନ ସରକାର ଗଠନ ପ୍ରକ୍ରିୟାରେ ଅନେକେ ବାଧା ସୃଷ୍ଟି ହୋଇଛି ।
ଉଲ୍ଲେଖଯୋଗ୍ୟ ଯେ ସମ୍ବିଧାନର ଧାରା ୧୭୨ରେ ଉଲ୍ଲେଖ କରାଯାଇଛି ଯେ କୌଣସି ବିଧାନସଭାର କାର୍ଯ୍ୟକାଳ ପାଂଚ ବର୍ଷରୁ ଅଧିକ ହୋଇପାରିବ ନାହିଁ । ପଶ୍ଚିମବଙ୍ଗ ବିଧାନସଭାର ବର୍ତମାନର କାର୍ଯ୍ୟକାଳ ଗୁରୁବାର ମଧ୍ୟରାତ୍ରି ଅର୍ଥାତ ୧୨ଟା ୦୧ମିନିଟରେ ଶେଷ ହେବ । ଏହା ପରେ ମମତା ବାନାର୍ଜୀ ଆଇନଗତ ଭାବେ ମୁଖ୍ୟମନ୍ତ୍ରୀ ରହିପାରିବେ ନାହିଁ । ସାମ୍ବିଧାନିକ ବିଶେଷଜ୍ଞ ଫୈଜାନ ମୁସ୍ତାଫା ଏବଂ ପିଡିଟି ଆଚାର୍ଯ୍ୟଙ୍କ ଅନୁଯାୟୀ ଯଦି ଜଣେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବାକୁ ମନା କରନ୍ତି, ତେବେ ରାଜ୍ୟପାଳଙ୍କ ପାଖରେ ଆବେଦନ ପ୍ରତ୍ୟାହାର କରିବାର କ୍ଷମତା ଅଛି ।
ଧାରା ୧୬୪ ଅନୁଯାୟୀ ମୁଖ୍ୟମନ୍ତ୍ରୀ କେବଳ ରାଜ୍ୟପାଳ ଚାହିଁବା ପର୍ଯ୍ୟନ୍ତ ପଦବୀରେ ରୁହନ୍ତି । ଯେତେବେଳେ କାର୍ଯ୍ୟକାଳ ସମାପ୍ତ ହୁଏ ଏବଂ ସଂଖ୍ୟା ଗରିଷ୍ଠତା ନଥାଏ, ରାଜ୍ୟପାଳ ବରଖାସ୍ତ ଆଦେଶ ଜାରି କରିପାରିବେ । ଯେହେତୁ ବିଜେପି ମେ ୯ତାରିଖରେ ଶପଥ ନେବାକୁ ନିଷ୍ପତି ନେଇଛି, ତେଣୁ ମେ ୮ରେ ରାଜ୍ୟ କୌଣସି ସରକାରଙ୍କ ବିନା ରହିବାର ଆଶଙ୍କା ସୃଷ୍ଟି ହୋଇଛି । ଆଇନ ବିଶେଷଜ୍ଞଙ୍କ ବକ୍ତବ୍ୟ ଯେ ଯଦି ମୁଖ୍ୟମନ୍ତ୍ରୀ ଇସ୍ତଫା ନ ଦିଅନ୍ତି, ତେବେ ତାଙ୍କୁ କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇପାରିବ ନାହିଁ । କାର୍ଯ୍ୟକାରୀ ହେବା ପାଇଁ ଏକ ଇସ୍ତଫାପତ୍ର ଦାଖଲ କରିବାକୁ ପଡ଼ିବ ଏବଂ ତାପରେ ରାଜ୍ୟପାଳଙ୍କ ଅନୁରୋଧ ଗ୍ରହଣ କରିବାକୁ ହେବ । ବରିଷ୍ଠ ଆଇନଜୀବୀ ହରିଶ ସାଲଭେଙ୍କ ଅନୁଯାୟୀ ଯଦି ଗୁରୁବାର ରାତ୍ରି ସୁଦ୍ଧା ଇସ୍ତଫାପତ୍ର ଗ୍ରହଣ ନହୁଏ, ତେବେ ରାଜ୍ୟପାଳ ପଶ୍ଚିମବଙ୍ଗରେ କିଛିସମୟ ପାଇଁ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ସୁପାରିଶ କରିପାରିବେ । ରାଜ୍ୟରେ ପ୍ରଶାସନିକ ନିରନ୍ତରତା ବଜାୟ ରଖିବା ପାଇଁ ଏହି ରାଷ୍ଟ୍ରପତି ଶାସନ କେବଳ ୨୪ଘଂଟା ରହିବ ।
ନିର୍ବାଚିତ ସଂଖ୍ୟାଗରିଷ୍ଠ ଦଳ ବିଜେପି ଶପଥ ଗ୍ରହଣ ଉତସବ ପାଇଁ ଶନିବାରକୁ ବାଛିଥିବାରୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି । ଏହି ବିନା ସରକାର ସମୟ ଅବଧି କେବଳ ରାଷ୍ଟ୍ରପତି ଶାସନ ଅଧୀନରେ ଆଇନଗତ ଭାବେ ସୁରକ୍ଷିତ ରହିପାରିବ । ମମତାଙ୍କ ଇସ୍ତଫା ବିନା ବିଜେପିକୁ ସରକାର ଗଠନ କରିାବରେ ରୋକି ପାରିବ ନାହିଁ । ପ୍ରକ୍ରିୟା ଟିକିଏ ଭିନ୍ନ ହେବ । ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ରାଜ୍ୟପାଳଙ୍କୁ ନବନିର୍ବାଚିତ ବିଧାୟକଙ୍କ ତାଲିକା ପ୍ରଦାନ କରି ସାରିଛନ୍ତି । ବିଜେପି ସ୍ପଷ୍ଟ ବହୁମତ ହାସଲ କରିଛି ।
ସାମ୍ବିଧାନିକ ନିୟମ ଅନୁଯାୟୀ ରାଜ୍ୟପାଳ ସଂଖ୍ୟାଗରିଷ୍ଠ ଦଳ ନେତାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିବେ । ଯଦି ପୁରୁଣା ସରକାର ଇସ୍ତଫା ଦେବାକୁ ମନା କରନ୍ତି, ତେବେ ରାଜ୍ୟପାଳ ସରକାରଙ୍କୁ ବରଖାସ୍ତ କରିବେ । ଏହା ପରେ ଶନିବାର ସକାଳେ ନିର୍ଦ୍ଦାରିତ ସମୟ ଅନୁଯାୟୀ ବିଜେପିର ମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ୍ ଶପଥ ଗ୍ରହଣ କରିବେ । ଶପଥ ଗ୍ରହଣ ପରେ ପୁରୁଣା ସରକାର ଆଇନଗତ ଭାବେ ଅସ୍ତିତ୍ୱ ହରାଇବ । ଅନ୍ୟପକ୍ଷରେ ମମତା ବାନାର୍ଜୀ ଚାହାଁନ୍ତି ଯେ ତାଙ୍କ ନାମ ପୂର୍ବରୁ ଇସ୍ତଫା ଶବ୍ଦ ନ ରହୁ, ବରଂ ତାଙ୍କୁ ବରଖାସ୍ତ କରାଯାଇଛି ବୋଲି କୁହାଯାଉ । ଏହା ତାଙ୍କ ଭବିଷ୍ୟତର ଆଇନଗତ ଲଢ଼େଇ ଏବଂ ରାଜନୈତିକ ଆଲୋଚନା ପାଇଁ ଲାଭଦାୟକ ହୋଇପାରେ ।
ବରିଷ୍ଠ ସାମ୍ବାଦିକ ସୁମନ ଭଟ୍ଟାଚାର୍ଯ୍ୟକଙ୍କ ବକ୍ତବ୍ୟ ଅନୁଯାୟୀ ମମତାଙ୍କ ଏହି ପଦକ୍ଷେପ ଆଗାମୀ ଲୋକସଭା ନିର୍ବାଚନ ପାଇଁ ତାଙ୍କର ପ୍ରସ୍ତୁତିର ଏକ ଅଂଶ, ଯେଉଁଠାରେ ସେ ନିଜକୁ ଗଣତନ୍ତ୍ରର ରକ୍ଷାକର୍ତା ଭାବେ ପ୍ରତିପାଦିତ କରିବେ । ତାଙ୍କୁ ବଳପୂର୍ବକ କ୍ଷମତାରୁ ବିତାଡି କରାଯାଇଥିଲା ବୋଲି ସେ କହିବେ ।
ଯଦି ମମତାଙ୍କ ଚିଠି ମଧ୍ୟରାତ୍ରି ସୁଦ୍ଧା ନ ପହଂଚେ, ତେବେ ରାଜ୍ୟପାଳଙ୍କୁ ହୁଏତ କଠୋର ନିଷ୍ପତି ନେବାକୁ ହେବ । ରାଜ୍ୟ ଜନତା ମଧ୍ୟ ଏହି ବିଷୟକୁ ଅତ୍ୟନ୍ତ କୌତୁହଳର ସହ ଦେଖୁଛନ୍ତି । ତେବେ ଯାହା ହେଉନା କାହିଁକି ମେ ୭ତାରିଖରେ ମଧ୍ୟରାତ୍ରିରେ ରାଜ୍ୟ ଇତିହାସରେଏକ ନୂତନ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଥିବା ମନେହୁଏ ।
ତେବେ ମମତା ଶେଷ ମୁହୂର୍ତରେ ନିଜ ମତ ପରିବର୍ତନ କରୁଛନ୍ତି ନା ରାଜ୍ୟରେ ଦିନିକିଆ ରାଷ୍ଟ୍ରପତି ଶାସନ ଜାରି କରାଯାଉଛି ତାହା ଦେଖିବାକୁ ବାକି ରହିଛି ।