ଆଇ-ପ୍ୟାକଠୁ ଦୂରେଇଲା ‘ସମାଜବାଦୀ ପାର୍ଟି’
ପଶ୍ଚିମବଙ୍ଗ ଓ ତାମିଲନାଡ଼ୁ ବିଧାନସଭା ନିର୍ବାଚନରେ ଆଇ-ପ୍ୟାକର ରଣନୀତି ବିଫଳ ହେବା ପରେ ଅଖିଳେଶ ଯାଦବଙ୍କ ନେତୃତ୍ୱାଧୀନ ‘ସମାଜବାଦୀ ପାର୍ଟି’ (ଏସପି) ଏବେ ଏହି ସଂସ୍ଥାକୁ ଦୂରେଇ ଦେଇଥିବା ପରିଲକ୍ଷିତ ହୋଇଛି ।
୨୦୨୭ରେ ଉତରପ୍ରଦେଶ ବିଧାନସଭା ନିର୍ବାଚନରେ ଆଇ-ପ୍ୟାକର ନିର୍ବାଚନ ରଣନୀତିକୁ ଦଳ ଆପଣାଇବ ନାହିଁ । ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଥିବା ଏହି ସଂସ୍ଥା ସହ ଦଳ ଆଉ କାମ କରିବ ନାହିଁ ବୋଲି ଜଣାପଡ଼ିଛି । ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଦଳ ଟିଏମସି ଏବଂ ତାମିଲନାଡ଼ୁରେ ଏମ କେ ଷ୍ଟାଲିଙ୍କ ଦଳ ଡିଏମକେ ବିଧାନସଭା ନିର୍ବାଚନ ପାଇଁ ଆଇ-ପ୍ୟାକର ରଣନୀତିକୁ ଆପଣାଇଥିଲେ ।
ମାତ୍ର ନିର୍ବାଚନରେ ଏହି ଦୁଇଟି ଯାକ ଦଳ ନିଜ ରାଜ୍ୟରେ ଶୋଚନୀୟ ପରାଜୟ ବରଣ କରିଛନ୍ତି ।
ତେଣୁ ସମାଜବାଦୀ ପାର୍ଟି ଆଉ ଏହି ନିର୍ବାଚନ ରଣନୀତି ପ୍ରସ୍ତୁତକାରୀ ସଂସ୍ଥାକୁ ବିଶ୍ୱାସକୁ ନେଇ ପାରୁନାହିଁ । ଅଖିଳେଶ ଯାଦବ ବର୍ତମାନ କୌଣସି ବାହ୍ୟ ସଂସ୍ଥା ଅପେକ୍ଷା ନିଜ ଦଳର ତୃଣମୂଳସ୍ତରର କର୍ମକର୍ତା ଏବଂ ଆଭ୍ୟନ୍ତରୀଣ ରଣନୀତି ଉପରେ ଅଧିକ ଗୁରୁତ୍ୱ ଦେବାକୁ ଚାହାଁନ୍ତି ।
ସମାଜବାଦୀ ପାର୍ଟି ପକ୍ଷରୁ ଲକ୍ଷ୍ନୌ ଅଫିସରେ ପ୍ରସ୍ତୁତି ଚଳାଇଥିବା ଆଇ-ପ୍ୟାକର ପ୍ରାୟ ୩୦-୪୦ଜଣ କର୍ମଚାରୀଙ୍କୁ କାମ ବନ୍ଦ କରିବାକୁ କୁହାଯାଇଛି ।