ଆବଶ୍ୟକ ସହଯୋଗ ନ କଲେ ଅନ୍ତରୀଣ ସୁରକ୍ଷା ପ୍ରତ୍ୟାହାର : ହାଇକୋର୍ଟ
ଚୌଦ୍ୱାର ସର୍କଲ ଜେଲ ଅଧିକ୍ଷକଙ୍କୁ ହାଇକୋର୍ଟଙ୍କ ଝଟକା ଲାଗିଛି । ଆବଶ୍ୟକ ସହଯୋଗ ନ କଲେ ପୁଲିସକୁ ଡକ୍ୟୁମେଂଟ ନ ଦେଲେ ମାର୍ଚ ୨୩ ତାରିଖରେ ଦିଆଯାଇଥିବା ଅନ୍ତରୀଣ ସୁରକ୍ଷା ପ୍ରତ୍ୟାହୃତ ହେବ ବୋଲି ଗତ ୪ ତାରିଖରେ ସ୍ପଷ୍ଟ କୁହାଯାଇଛି ।
ହାଇକୋର୍ଟ ଗତ ମାର୍ଚ ୩୦ ତାରିଖରେ ଆଦେଶ ଅନୁଯାୟୀ ରାଜ୍ୟକୁ କେସ ଡାଏରୀ ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ ଏବଂ ଏହାଗ ତ ଶୁଣାଣି ସୁଦ୍ଧା ଗ୍ରହଣ କରାଯାଇଛି । ଶୁଣାଣି ସମୟରେ ଡକ୍ଟର ବିନୋଦ କୁମାର ମିଶ୍ର ତାଙ୍କ ସହଯୋଗୀଙ୍କ ସହିତ ସୂଚନାଦାତାଙ୍କ ପାଇଁ ହାଜର ହୋଇ ଓକିଲାତିନାମା ଦାଖଲ କରିଥିଲେ ଓ ତାହା ଅଦାଲତ ଗ୍ରହଣ କରିଥିଲେ ।
ଡକ୍ଟର ମିଶ୍ର ଚୌଦ୍ୱାରର କାରାଗାର ଡିଆଇଜିଙ୍କ ଏକ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ । ସର୍କଲ ଜେଲଦ୍ୱାରା ପରିଚାଳିତ ଇନ-ଆଉଟ ରେଜିଷ୍ଟରରେ ହେରଫେର ହୋଇଥିବା ଡିଆଇଜି ତାଙ୍କ ରିପୋର୍ଟରେ ପ୍ରକାଶ କରିଛନ୍ତି ।
ଅଭିଯୋଗ କରାଯାଇଛି ଯେ ଆବେଦନକାରୀଙ୍କ ନିର୍ଦେଶରେ ଏପରି ହେରଫେର କରାଯାଇଛି । ଯାହାର ଫଳ ସ୍ୱରୂପ ସୂଚନାଦାତା ପୂର୍ବତନ ଜେଲର ମିଥ୍ୟା ଭାବେ ଫସିଛନ୍ତି ଏବଂ ବର୍ତମାନ ସେ ବିଭାଗୀୟ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେଉଛନ୍ତି । ଏହା ମଧ୍ୟ କୋର୍ଟଙ୍କୁ ଅବଗତ କରାଯାଇଛି ଯେ ଆବେଦନକାରୀ ତଦନ୍ତ ସମୟରେ ସହଯୋଗ କରୁନାହାଁନ୍ତି ଏବଂ ଆଇଓଙ୍କୁ ପ୍ରାସଙ୍ଗିକ ଡକ୍ୟୁମେଂଟ ଯୋଗାଇ ନାହାଁନ୍ତି ।
ଉପରୋକ୍ତ ଦୃଷ୍ଟିରୁ କୋର୍ଟ ନିର୍ଦେଶ ଦେଇଛନ୍ତି ଯେ ଆବେଦନକାରୀ ଆଇଓଙ୍କ ଦ୍ୱାରା ଦାବି କରାଯାଇଥିବା ତଦନ୍ତ ପାଇଁ ସମସ୍ତ ପ୍ରାସଙ୍ଗିକ କାଗଜପତ୍ର ବିନା କୌଣସି ତ୍ରୁଟିରେ ଦାଖଲ କରିବେ । ରାଜ୍ୟର ଉତରକୁ ଅପେକ୍ଷା କରି ଏବଂ ଉପରୋକ୍ତ ନିର୍ଦେଶକୁ ଦୃଷ୍ଟିରେ ରଖି ଆସନ୍ତା ୨୧ ତାରିଖକୁ ଶୁଣାଣି ସ୍ଥିର ହୋଇଛି ।
ଯଦି ଏବେ କରାଯାଇଥିବା ଅଭିଯୋଗ ଅନୁସାରେ ଆବେଦନକାରୀ (ଅଧିକ୍ଷକ)ଙ୍କଠାରୁ କୌଣସି ସହଯୋଗ ନ ମିଳେ ତେବେ ଗତ ମାର୍ଚ ୨୩ ତାରିଖର ମଧ୍ୟବର୍ତୀକାଳୀନ ଆଦେଶ ଖାଲି ହୋଇଯିବ ବୋଲି ହାଇକୋର୍ଟ ସ୍ପଷ୍ଟ କରି ଦେଇଛନ୍ତି ।
ମାନ୍ୟବର ବିଚାରପତି ଜଷ୍ଟିସ ଆର କେ ପଟ୍ଟନାୟକ ଏହି ମାମଲାର ଶୁଣାଣି କରୁଛନ୍ତି ।