ବିଜୟଙ୍କୁ ସରକାର ଗଠନ ପାଇଁ ମିଳିଲାନି ଅନୁମତି
୧୧୮ ବିଧାୟକଙ୍କ ସମର୍ଥନ ପତ୍ର ମାଗିଲେ ରାଜ୍ୟପାଳ
ତାମିଲନାଡ଼ୁ ରାଜନୀତିରେ ସରକାର ଗଠନକୁ ନେଇ ଚାଲିଥିବା ଟଣାଓଟରା ଏବେ ଜଟିଳ ରୂପ ଧାରଣ କରିଛି ।
‘ଟିଭିକେ’ ମୁଖ୍ୟ ବିଜୟ ଦ୍ୱିତୀୟ ଦିନ ପାଇଁ ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କୁ ସାକ୍ଷାତ କରି ସରକାର ଗଠନ ପାଇଁ ଦାବି ଜଣାଇଥିଲେ ହେଁ ରାଜ୍ୟପାଳ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ବିଜୟଙ୍କ ନିକଟରେ ଆବଶ୍ୟକ ସଂଖ୍ୟା ନଥିବାରୁ ରାଜ୍ୟପାଳ ତାଙ୍କୁ ୧୧୮ଜଣ ବିଧାୟକଙ୍କ ସ୍ୱାକ୍ଷରିତ ସମର୍ଥନ ପତ୍ର ସହ ଆସିବାକୁ କହିଛନ୍ତି ।
ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରିବା ପରେ ହିଁ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇପାରିବ ବୋଲି ରାଜଭବନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ସରକାର ଗଠନ ପରେ ଯେପରି ସ୍ଥିରତା ବଜାୟ ରୁହେ, ସେଥିପାଇଁ ରାଜ୍ୟପାଳ ଲିଖିତ ସମର୍ଥନ ଉପରେ ଜୋର ଦେଇଛନ୍ତି । ବର୍ତମାନର ବିଧାନସଭା କାର୍ଯ୍ୟକାଳ ମେ ୯ ତାରିଖରେ ଶେଷ ହେବାକୁ ଥିବାରୁ ରାଜ୍ୟପାଳଙ୍କ ନିକଟରେ ନିଷ୍ପତି ନେବା ପାଇଁ ଆଉ ମାତ୍ର କିଛିଦିନ ବାକି ରହିଛି ।
ବିଜୟ ପୂର୍ବରୁ ୧୧୨ଜଣ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଥିଲେ । ଏଥିରେ କଂଗ୍ରେସର ୫ଜଣ ବିଧାୟକ ମଧ୍ୟ ସାମିଲ ଥିବା ସେ ମୌଖିକ ଭାବେ ରାଜ୍ୟପାଳଙ୍କୁ ଜଣାଇ ସମୟ ମାଗିଥିଲେ । ତଥାପି ସଂଖ୍ୟା ୧୧୮ ନ ହେବା ପର୍ଯ୍ୟନ୍ତ ଏହା ଅସମ୍ପୂର୍ଣ୍ଣ ବୋଲି କୁହାଯାଇଛି ।
ଚଳିତ ନିର୍ବାଚନରେ ବିଜୟଙ୍କ ଟିଭିକେ ଦଳ ତାମିଲନାଡ଼ୁର ତିନି ଦଶନ୍ଧିର ଡିଏମକେ-ଏଆଇଏଡିଏମକେ ପ୍ରାଧାନ୍ୟକୁ ଶେଷ କରି ଏକ ବଡ଼ ସଫଳତା ହାସଲ କରିଛି । ତଥାପି ବିଜୟ ଦୁଇଟି ଆସନରୁ ଜିତିଥିବା ବେଳେ ଗୋଟିଏ ଆସନ ଛାଡ଼ିବା ପରେ ତାଙ୍କ ଦଳର ପ୍ରକୃତ ସଂଖ୍ୟା ୧୦୭କୁ ଖସି ଆସିବ । କଂଗ୍ରେସ ସହ ମିଶି ସେମାନଙ୍କ ପାଖରେ ମୋଟ ୧୧୨ଜଣ ସଦସ୍ୟ ରହୁଛନ୍ତି, ଯାହା ମ୍ୟାଜିକ ନମ୍ବର ୧୧୭ରୁ ୫ କମ ।
ସମ୍ବିଧାନର ଧାରା ୧୬୪(୧) ଅନୁଯାୟୀ ରାଜ୍ୟପାଳଙ୍କ ପାଖରେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପାଇଁ ସ୍ୱତନ୍ତ୍ର କ୍ଷମତା ରହିଥିବାରୁ ଏହି ସ୍ଥିତିରେ ସେ କି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଉପରେ ସମଗ୍ର ରାଜ୍ୟର ନଜର ରହିଛି । ବର୍ତମାନ ସୁଦ୍ଧା ଏଆଇଏଡିଏମକେ ନେତା “ଇପିଏସ’ ସରକାର ଗଠନ ପାଇଁ କୌଣସି ଆବେଦନ କରି ନାହାଁନ୍ତି ।