ଶ୍ରୀଜଗନ୍ନାଥଙ୍କ ନାମରେ ପ୍ରସାରଣ ହେବ ସ୍ୱତନ୍ତ୍ର ଚ୍ୟାନେଲ
ବିଶ୍ୱବାସୀଙ୍କ ହୃଦୟରେ ବିରାଜମାନ କରୁଥିବା ଜଗତର ନାଥ ଜଗନ୍ନାଥଙ୍କ ନାମରେ ଏକ ସ୍ୱତନ୍ତ୍ର ଟିଭି ଚ୍ୟାନେଲ ହେବ ।
ଏ ନେଇ ଏକ ବୈଠକ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
ଲୋକସେବା ଭବନସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ପ୍ରସ୍ତାବିତ ନୂତନ ଚ୍ୟାନେଲର ରୂପରେଖ, ଦୈନିକ କାର୍ଯ୍ୟକ୍ରମ, ଜଗନ୍ନାଥ ସଂସ୍କୃତିର ପରିବ୍ୟାପ୍ତି, ଭକ୍ତଙ୍କ ମନରେ ଜଗନ୍ନାଥଙ୍କୁ ନେଇ ଥିବା ଭାବନାର ପରିପ୍ରକାଶ ନେଇ ଆସିଥିବା ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା ।
ଚ୍ୟାନେଲ ପ୍ରତିଷ୍ଠା ନେଇ ପ୍ରାଥମିକ ପର୍ଯ୍ୟାୟରେ ଥିବା ଏହି ଆଲୋଚନା ବେଶ ସକରାତ୍ମକ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିବା ସହ ଜଗନ୍ନାଥ ସଂସ୍କୃତିକୁ ନେଇ ସମଗ୍ର ବିଶ୍ୱବାସୀ ଅବଗତ କରାଇବା ଏବଂ ଜଗନ୍ନାଥ ସଂସ୍କୃତି ଉପରେ ଅଧିକ ଗବେଷଣା ଓ ଆଲୋଚନା ସହ ଜଗନ୍ନାଥଙ୍କ ମହିମା ଓ ଭାବାବେଗ ନେଇ ଭକ୍ତଙ୍କ ଅନୁଭୂତିକୁ ସମସ୍ତଙ୍କ ନିକଟରେ ପହଂଚାଇବା ନେଇ ଆସିଥିବା ପ୍ରସ୍ତାବ ଉପରେ ରାଜ୍ୟ ସରକାର ଅତି ସକରାତ୍ମକ ଭାବେ ଚିନ୍ତା କରୁଛନ୍ତି ।
ପରବର୍ତୀ ସମୟରେ ଏହା ଉପରେ ଅଧିକ ଆଲୋଚନା କରାଯିବା ସହ ସମ୍ପୂର୍ଣ୍ଣ ରୂପରେଖ ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ହରିଚନ୍ଦନ କହିଥିଲେ ।
ବୈଠକରେ ଶ୍ରୀମନ୍ଦିର ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ସମେତ ଆଇନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।