ରେଳବାଇ କନେଷ୍ଟବଳ ସୌମ୍ୟରଞ୍ଜନ ହତ୍ୟା ଘଟଣା
ପୁଲିସର ଭୂମିକାକୁ ନେଇ ଉଠିଲା ପ୍ରଶ୍ନ
ଗତ ଗୁରୁବାର ଖୋର୍ଦ୍ଧାର ବାଲିଅନ୍ତାରେ ଘଟିଥିବା ସଂଘବଦ୍ଧ ଆକ୍ରମଣରେ ପ୍ରାଣ ହରାଇଛନ୍ତି ରେଳବାଇ କନେଷ୍ଟବଳ ସୌମ୍ୟରଞ୍ଜନ । ତେବେ ଏହି ହତ୍ୟାକାଣ୍ଡ ପଛରେ କାରଣ ଯାହାବି ହେଇଥାଉ ନା କାହିଁକି ପୁଲିସର ପାରିବା ପଣିଆ ଉପରେ ଏବେ ଲୋକେ ପ୍ରଶ୍ନ ଉଠାଇଛନ୍ତି । କାରଣ ଯେତେେବେଳ ସୌମ୍ୟରଞ୍ଜନଙ୍କୁ କିଛି ଲୋକ ସଂଘବଦ୍ଧ ଭାବେ ଆକ୍ରମଣ କରି ତାଙ୍କ ହାତଗୋଡ଼ ବାନ୍ଧି ତାଙ୍କୁ ଅମାନୁଷିକ ଭାବେ ମାଡ଼ ମାରି ଘୋଷାରି ଘୋଷାରି ନେଉଥିଲେ; ସେତେବେଳେ ସେଠାରେ ଉପସ୍ଥିତ ପୁଲିସକର୍ମୀ କେବଳ ନୀରବଦ୍ରଷ୍ଟା ସାଜିଥିଲେ ।
ସେମାନେ ନା’ ଉତ୍ୟକ୍ତ ଲୋକଙ୍କୁ ଅଟକାଇଥିଲେ ନା’ ସୌମ୍ୟରଞ୍ଜନଙ୍କୁ ଉଦ୍ଧାର କରିଥିଲେ । ପୁନଶ୍ଚ ଆଉ ଏକ ପ୍ରଶ୍ନ ଉଠିଛି ଯେ, ଏହି ଭିଡିଓ ଭାଇରାଲ ହେବା ପରେ ମଧ୍ୟ କାହିଁକି କମିଶନରେଟ ପୁଲିସ ତୁରନ୍ତ ଆକ୍ସନ ନେଇନଥିଲା? ପୁଣି ଆକ୍ରମଣ ସମୟରେ କେହି ଜଣେ ‘ଥାଉ ସେତିକି ଥାଉ’ ବୋଲି କହି ଆକ୍ରମଣକାରୀଙ୍କୁ ସାନ୍ତ୍ୱନା ଦେଉଥିବା ଭିଡିଓ ଏବଂ ଅଡିଓ ଏବେ ସାମ୍ନାକୁ ଆସିଛି । ତେବେ ଏହି ସାନ୍ତ୍ୱନା ଆକ୍ରମଣକାରୀଙ୍କୁ ବୁଝାଇବା ପାଇଁ ପୁଲିସ ଦେଉଥିଲା ନାହିଁ ତ ? ଏ ପ୍ରଶ୍ନ ମଧ୍ୟ ମନରେ ଉଙ୍କି ମାରୁଛି ।
ତେବେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ମୃତ ସୌମ୍ୟରଞ୍ଜନଙ୍କ ସାଙ୍ଗମାନେ ଅଭିଯୋଗ ଆଣିଛନ୍ତି । ଜଣଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରାଯାଉଥିବାବେଳେ ପୁଲିସ କ’ଣ ହାତବାନ୍ଧି କେବଳ ତମାସା ଦେଖିବା ତା’ର କର୍ତବ୍ୟ କି ସେମାନେ ପ୍ରଶ୍ନ କରିଛନ୍ତି । ଏଣୁ ଏହାର ବିଧିବଦ୍ଧ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଏଥିସହ ଯେଉଁ ୨ ଯୁବତୀଙ୍କ ଅସଦାଚରଣ ଅଭିଯୋଗକ୍ରମେ ସୌମ୍ୟରଞ୍ଜନଙ୍କୁ ମବ ଲିଚିଂ କରି ହତ୍ୟା କରାଗଲା ସେ ଦୁହିଙ୍କୁ ମଧ୍ୟ ପୁଲିସ ତଦନ୍ତ ପରିସରଭୁକ୍ତ କରି ଏବାବଦକୁ ଉଭୟ ଯୁବତୀଙ୍କ ବୟାନ ରେକର୍ଡ କରୁ ବୋଲି ମୃତ ସୌମ୍ୟରଞ୍ଜନଙ୍କ ସାଙ୍ଗ ଓ ଆତ୍ମୀୟମାନେ ଦାବି କରିଛନ୍ତି ।