କ’ଣ ଆଗକୁ ସୁନା ଓ ପେଟ୍ରୋଲ ମିଳିବ ତ ?
ବର୍ଷେ ପର୍ଯ୍ୟନ୍ତ ସୁନା କିଣନି, ତେଲ ବ୍ୟବହାର କମାଅ : ମୋଦି
କ’ଣ ଆଗକୁ ସୁନା ଓ ପେଟ୍ରୋଲ ମିଳିବ ତ? ଏଭଳି ପ୍ରଶ୍ନ ଏବେ କେବଳ ଭାରତୀୟଙ୍କ ମନରେ ନୁହେଁ ସାରା ବିଶ୍ୱବାସୀଙ୍କ ମନରେ ଉଙ୍କି ମାରିବା ଆରମ୍ଭ କରିଦେଇଛି ।
କାରଣ ହେଉଛି ସଦ୍ୟ ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ସଂଗଠିତ ଭୀଷଣ ଯୁଦ୍ଧ ।
ଏହି ଯୁଦ୍ଧ ଗତ ଫେବୃଆରୀ ୨୮ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ଶେଷ ପର୍ଯ୍ୟନ୍ତ ଚାଲିଥିଲା । ଶେଷରେ ଉଭୟ ଇରାନ ଏବଂ ଆମେରିକା ସ୍ଥାୟୀ ଶାନ୍ତି ଆଲୋଚନା ପାଇଁ ରାଜି ହେବାରୁ ଏବେ ଏହି ଯୁଦ୍ଧ ସାମୟିକ ଭାବେ ସ୍ଥଗିତ ରହିଛି; କିନ୍ତୁ ଏହା ସାରା ବିଶ୍ୱବାସୀଙ୍କ ମନରେ ଏକ ଛନକା ବା ଭୟ ସୃଷ୍ଟି କରିଛି ।
ତାହା ହେଉଛି ନିତ୍ୟ ପରିବହନ ପାଇଁ ନିହାତି ଆବଶ୍ୟକ ପେଟ୍ରୋଲ, ଡିଜେଲ ଏବଂ ବିଭାଘର ପାଇଁ ଅଳଙ୍କାର ନିମନ୍ତେ ଅପରିହାର୍ଯ୍ୟ ସୁନା ଆଗକୁ ମିଳିବ କି ନାହିଁ ।
ଏହାକୁ ଦୃଷ୍ଟିରେ ରଖି ଗତ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମଗ୍ର ଦେଶବାସୀଙ୍କୁ ପେଟ୍ରୋଲ, ଡିଜେଲର ବ୍ୟବହାର କମାଇବାକୁ ଏବଂ ବର୍ଷେ ପର୍ଯ୍ୟନ୍ତ ସୁନା ନ କିଣିବାକୁ ଅପିଲ କରିଛନ୍ତି ।
ଏଥିସହ ଗୋଟିଏ ବର୍ଷ ପାଇଁ ବିଦେଶକୁ ନ ଯିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି । ଯଦି ସୁବିଧା ହେଉଛି ତେବେ ୱାର୍କଫ୍ରମ ହୋମ ବା ଘରୁ କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ସେହିପରି ରୋଷେଇରେ ଖାଇବା ତେଲ କମାଇବାକୁ ମଧ୍ୟ ସେ କହିଛନ୍ତି ।
ତେବେ ଏସବୁ ଆଗକୁ ଦେଶ ପ୍ରତି କ’ଣ କୌଣସି ବଡ଼ ସଙ୍କଟ ଦେଖାଦେବ କି ବୋଲି ଏବେଠାରୁ ଦେଶବାସୀଙ୍କ ମନରେ ପ୍ରଶ୍ନ ଉଠିଛି ।