ଚଳନ୍ତା ବସରେ ମହିଳାଙ୍କୁ ଗଣଦୁଷ୍କର୍ମ
ବସ ଜବତ, ଚାଳକ ଓ କଣ୍ଡକ୍ଟର ଗିରଫ
ପୁଣି ଚର୍ଚାରେ ଦିଲ୍ଲୀ । ଏକ ଲଜ୍ଜାଜନକ ତଥା ଅମାନବୀୟ ଘଟଣା ସାଧାରଣଙ୍କ ସମ୍ମୁଖକୁ ଆସିଛି ।
ରାଜଧାନୀ ଦିଲ୍ଲୀରେ ଏକ ଘରୋଇ ସ୍ଲିପର ବସରେ ଜଣେ ବିବାହିତ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।
ଏହି ଘଟଣା ସମଗ୍ର ଦେଶରେ ଚାଂଚଲ୍ୟ ଖେଳାଇ ଦେଇଥିବାବେଳେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବସର ଉଭୟ ଚାଳକ ଓ କଣ୍ଡକ୍ଟରକୁ ଗିରଫ କରିବାରେ ସଫଳ ହୋଇଛି ।
ସୂଚନା ଅନୁଯାୟୀ ଗତ ମେ ୧୨ତାରିଖ ରାତିରେ ଏହି ଘଟଣା ଘଟିଥିଲା । ପୀଡ଼ିତା ଜଣକ ତିନି ସନ୍ତାନର ଜନନୀ ବୋଲି ପୁଲିସ କହିଛି । ଅଭିଯୋଗ ଅନୁସାରେ ମହିଳା ଜଣଙ୍କୁ ଦିଲ୍ଲୀର ରାଣୀବାଗ ଅଂଚଳରୁ ବସରେ ବସାଯାଇଥିଲା ଏବଂ ପରେ ନାଙ୍ଗଲୋଇ ଅଂଚଳକୁ ନେଇ ବସ ଭିତରେ ଏହି ଅମାନୁଷିକ କାଣ୍ଡ ଘଟାଯାଇଥିଲା ।
ବସଟି ଖାଲି ଥିବାର ସୁଯୋଗ ନେଇ ଚାଳକ ଓ କଣ୍ଡକ୍ଟର ମିଶି ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ପୀଡ଼ିତା ପୁଲିସ ନିକଟରେ ଅଭିଯୋଗ କରିବା ପରେ ଦିଲ୍ଲୀ ପୁଲିସ ତୁରନ୍ତ ଏକ ମାମଲା (ଏଫଆଇଆର) ରୁଜୁ କରିଥିଲା ।
ବର୍ତମାନ ସୁଦ୍ଧା ଅଭିଯୁକ୍ତ ଚାଳକ ଓ କଣ୍ଡକ୍ଟରକୁ ଗିରଫ କରାଯାଇଛି ଏବଂ ଅପରାଧରେ ବ୍ୟବହୃତ ହୋଇଥିବା ଘରୋଇ ବସକୁ ଜବତ କରାଯାଇଛି । ପୁଲିସ ପକ୍ଷରୁ ଏହି ଘଟଣାର ଟିକିନିଖି ତଦନ୍ତ ଜାରି ରହିଛି ଏବଂ ସମସ୍ତ ଦିଗରୁ ଯାଂଚ କରାଯାଉଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି ।
ଦିଲ୍ଲୀରେ ମହିଳାଙ୍କ ସୁରକ୍ଷାକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଥିବାବେଳେ ଏହି ଘଟଣା ପୁଣି ନିର୍ଭୟା କାଣ୍ଡର ସ୍ମୃତିକୁ ତାଜା କରିଦେଇଛି ।