ମନ୍ତ୍ରୀଙ୍କୁ ବିଭାଗ ବାଂଟିଲେ ମୁଖ୍ୟମନ୍ତ୍ରୀ ବିଜୟ
ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଜୋସେଫ ଚନ୍ଦ୍ରଶେଖର ବିଜୟ କ୍ୟାବିନେଟରେ ମନ୍ତ୍ରୀମାନଙ୍କୁ ବିଭାଗ ବଂଟନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଗୃହ, ପୁଲିସ ଏବଂ ମହିଳା ଓ ଶିଶୁ କଲ୍ୟାଣ ସମେତ ପ୍ରମୁଖ ବିଭାଗଗୁଡ଼ିକୁ ଦାୟିତ୍ୱରେ ରଖିଛନ୍ତି । ପୋର୍ଟଫୋଲିଓ ଆବଂଟନ ତାଲିକା ଅନୁସାରେ ମୁଖ୍ୟମନ୍ତ୍ରୀ ବିଜୟ ସାଧାରଣ ପ୍ରଶାସନ, ଗୃହ, ରାଜସ୍ୱ, ପୁଲିସ, ସ୍ୱତନ୍ତ୍ର କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ, ମହିଳା କଲ୍ୟାଣ, ଯୁବ ସଶକ୍ତିକରଣ, ଶିଶୁ କଲ୍ୟାଣ, ବୟସ୍କ ଏବଂ ଭିନ୍ନକ୍ଷମ କଲ୍ୟାଣ, ପୌର ପ୍ରଶାସନ ଏବଂ ନଗର ଓ ଜଳ ଯୋଗାଣ ଦାୟିତ୍ୱରେ ରହିଛନ୍ତି ।
ସେହିପରି ବରିଷ୍ଠ ମନ୍ତ୍ରୀ କେ.ଏ. ସେଙ୍ଗୋଟାଇୟାନଙ୍କୁ ଅର୍ଥ ବିଭାଗ ପ୍ରଦାନ କରାଯାଇଛି । ସେ ନୂତନ ସରକାରରେ ଅର୍ଥ, ପେନସନ ଓ ଭତା ପରିଚାଳନା କରିବେ । ସର୍ବକନିଷ୍ଠ ମନ୍ତ୍ରୀ ସେଲଭି ଏସ କୀର୍ତନା ଶିଳ୍ପ ବିଭାଗ ପାଇଛନ୍ତି ଏବଂ ନିବେଶ ପ୍ରୋତ୍ସାହନ ମଧ୍ୟ ତଦାରଖ କରିବେ । ଜଣେ ମହିଳା ମନ୍ତ୍ରୀଙ୍କୁ ଏକ ପ୍ରମୁଖ ବିଭାଗ ବଂଟନ ଯୋଗୁଁ ତାମିଲନାଡ଼ୁ ରାଜନୈତିକ ମହଲରେ ଦୃଷ୍ଟି ଆକର୍ଷଣ କରିଛି ।
ଏନ ଆନନଦ ଗ୍ରାମୀଣ ବିକାଶ ଏବଂ ଜଳ ସମ୍ପଦ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ତାଙ୍କ ବିଭାଗଗୁଡ଼ିକ ମଧ୍ୟରେ ଗ୍ରାମୀଣ ବିକାଶ, ପଂଚାୟତ ଏବଂ ପଂଚାୟତ ସଂଘ, ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ, ଗ୍ରାମୀଣ ଋଣ ଏବଂ କ୍ଷୁଦ୍ର ଜଳସେଚନ ସମେତ ଜଳସେଚନ ପ୍ରକଳ୍ପ ଅନ୍ତର୍ଭୁକ୍ତ । ଆଧବ ଅର୍ଜୁନ ଲୋକ ନିର୍ମାଣ ଏବଂ କ୍ରୀଡ଼ା ବିକାଶ ମନ୍ତ୍ରୀ ହୋଇଛନ୍ତି । ସେ କ୍ରୀଡ଼ା ବିକାଶ ସହ କୋଠା, ରାଜପଥ ଏବଂ କ୍ଷୁଦ୍ର ବନ୍ଦର ସମେତ ସାଧାରଣ କାର୍ଯ୍ୟ ତଦାରଖ କରିବେ ।
ଡକ୍ଟର କେଜି ଅରୁଣରାଜଙ୍କୁ ସ୍ୱାସ୍ଥ୍ୟ, ଚିକିତ୍ସା ଶିକ୍ଷା ଏବଂ ପରିବାର କଲ୍ୟାଣ ବିଭାଗ ପ୍ରଦାନ କରାଯାଇଛି ।
ପି. ଭେଙ୍କଟରମଣ ଖାଦ୍ୟ ଏବଂ ନାଗରିକ ଯୋଗାଣ ମନ୍ତ୍ରୀ ହୋଇଛନ୍ତି ଏବଂ ଗ୍ରାହକ ସୁରକ୍ଷା ଓ ମୂଲ୍ୟ ନିୟନ୍ତ୍ରଣ ପରିଚାଳନା କରିବେ । ଆର. ନିର୍ମଳକୁମାରଙ୍କୁ ଶକ୍ତି ସମ୍ପଦ ଏବଂ ଆଇନ ଦାୟିତ୍ୱ ପ୍ରଦାନ କରାଯାଇଛି । ତାଙ୍କ ବିଭାଗଗୁଡ଼ିକ ମଧ୍ୟରେ ବିଦ୍ୟୁତ ଏବଂ ଅଣ-ପାରମ୍ପରିକ ଶକ୍ତି ବିକାଶ, ଆଇନ, ଅଦାଲତ, କାରାଗାର ଏବଂ ଦୁର୍ନୀତି ନିବାରଣ, ବିଧାନସଭା, ରାଜ୍ୟପାଳ, ନିର୍ବାଚନ ଏବଂ ପାସପୋର୍ଟ ଅନ୍ତର୍ଭୁକ୍ତ ।
ରାଜମୋହନଙ୍କୁ ସ୍କୁଲ ଶିକ୍ଷା, ତାମିଲ ବିକାଶ, ସୂଚନା ଏବଂ ଲୋକସମ୍ପର୍କ ମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି । ସେ ପ୍ରତ୍ନତତ୍ୱ, ତାମିଲ ସରକାରୀ ଭାଷା ଏବଂ ତାମିଲ ସଂସ୍କୃତି, ଚଳଚ୍ଚିତ୍ର ପ୍ରଯୁକ୍ତିବିଦ୍ୟା ଏବଂ ସିନେମାଟୋଗ୍ରାଫ ଆଇନ, ଖବରକାଗଜ ନିୟନ୍ତ୍ରଣ, ଷ୍ଟେସନାରୀ ଏବଂ ମୁଦ୍ରଣ ଓ ସରକାରୀ ପ୍ରେସ ମଧ୍ୟ ତଦାରଖ କରିବେ । ଡକ୍ଟର ଟି.କେ. ପ୍ରଭୁଙ୍କୁ ପ୍ରାକୃତିକ ସମ୍ପଦ ବିଭାଗ ଦିଆଯାଇଛି ।