ବିବାଦୀୟ ମନ୍ତବ୍ୟ ଉପରେ ସଫେଇ ଦେଲେ ପ୍ରଧାନ ବିଚାରପତି
ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ‘କେତେକଯୁବକଙ୍କୁ ଅସରପା’ ଭାବେ କହିବା ପରେ ଶନିବାର ତାଙ୍କ ବିବାଦୀୟ ଟିପ୍ପଣୀ ଉପରେ ସଫେଇ ଦେଇଛନ୍ତି ।
ପ୍ରଧାନ ବିଚାରପତି କହିଛନ୍ତି ଯେ କେତେକ ଗଣମାଧ୍ୟମ ତାଙ୍କର ମୌଖିକ ମତାମତକୁ ଭୁଲ ଭାବେ ଉଦ୍ଧୃତ କରିଥିଲେ ଏବଂ ସେଗୁଡ଼ିକୁ ଦେଶର ଯୁବପିଢ଼ିଙ୍କ ସମାଲୋଚନା ଭାବେ ମିଥ୍ୟା ଭାବେ ପ୍ରଦର୍ଶିତ କରିଥିଲେ । ଏହା ପଢ଼ିବା ପରେ ମୁଁ ଖୁବ ଦୁଃଖିତ ହୋଇଥିଲ ।
ସେ କହିଛନ୍ତି ଯେ ଗତକାଲି ଏକ ଅସ୍ୱାଭାବିକ ମାମଲାରେ ଶୁଣାଣି କରିବାବେଳେ ଆଇନ, ଗଣମାଧ୍ୟମ ଓ ଅନ୍ୟାନ୍ୟ ସମ୍ମାନଜନକ ବୃତିରେ ଜାଲ ଡିଗ୍ରୀ ମାଧ୍ୟମରେ ପ୍ରବେଶ କରିଥିବା ଯୁବକଙ୍କୁ ସେ ପରଜୀବୀ ବୋଲି କହିଥିଲେ । ଏହାଦ୍ବାରା ସେ ଦେଶର ସମଗ୍ର ଯୁବପିଢ଼ିକୁ ସମାଲୋଚନା କରିଥିଲେ ବୋଲି କହିବା ସମ୍ପୂର୍ଣ୍ଣ ଭିତିହୀନ ବୋଲି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି ।
ସେ କହିଛନ୍ତି ଯେ ମୁଁ ଦେଶର ଯୁବପିଢ଼ିଙ୍କୁ ନେଇ ଗର୍ବ କରେ ଓ ସେମାନଙ୍କୁ ବିକଶିତ ଭାରତର ସ୍ତମ୍ଭ ଭାବେ ଗ୍ରହଣ କରିଥାଏ । ସୂଚନାଯୋଗ୍ୟ ଯେ ଗତକାଲି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଣେ ଓକିଲଙ୍କୁ ବରିଷ୍ଠ ଓକିଲ ଭାବେ ନିଯୁକ୍ତି ସହିତ ଜଡ଼ିତ ଏକ ଆବେଦନର ଶୁଣାଣି କରିଥିଲେ । ଏହି ସମୟରେ ପ୍ରଧାନ ବିଚାରପତିଙ୍କ ମନ୍ତବ୍ୟ ପରେ ବିବାଦ ଆରମ୍ଭ ହୋଇଥିଲା । ବରିଷ୍ଠ ଓକିଲ ଦାବି କରୁଥିବା ଆବେଦନକାରୀଙ୍କ ବ୍ୟବହାର ବିଶେଷ କରି ‘ଫେସବୁକ’ରେ ସେ ବ୍ୟବହାର କରୁଥିବା ଭାଷାକୁ ନେଇ ପ୍ରଧାନ ବିଚାରପତି ପ୍ରଶ୍ନ ଉଠାଇଥିଲେ ।
ଖଣ୍ଡପୀଠ ଆବେଦନକାରୀଭ୍କୁ କହିଥିଲେ ଯେ ସମଗ୍ର ବିଶ୍ୱ ବରିଷ୍ଠ ଆଡଭୋକେଟ ହେବାକୁ ଯୋଗ୍ୟ ହୋଇପାରନ୍ତି, କିନ୍ତୁ ଆପଣ ସେଥିପାଇଁ ହକଦାର ନୁହଁନ୍ତି । ଜଷ୍ଟିସ ସୂର୍ଯ୍ୟକାନ୍ତ କହିଥିଲେ ଯେ ଯଦି ଦିଲ୍ଲୀ ହାଇକୋର୍ଟ ଆବେଦନକାରୀଙ୍କୁ ବରିଷ୍ଠ ଓକିଲ ପଦବୀ ପ୍ରଦାନ କରନ୍ତି, ତେବେ ସୁପ୍ରିମକୋର୍ଟ ତାଙ୍କ ବୃତିଗତ ଆଚରଣକୁ ଦୃଷ୍ଟିରେ ରଖି ଏହାକୁ ରଦ୍ଦ କରିଦେବେ । ଓକିଲଙ୍କ ସାମାଜିକ ଗଣମାଧ୍ୟମ ପୋଷ୍ଟକୁ ଆଧାର କରି ପ୍ରଧାନ ବିଚାରପତି କହିଥିଲେ ଯେ ସମାଜରେ ଅନେକେ ପରଜୀବୀ ଅଛନ୍ତି, ଯେଉଁମାନେ ବ୍ୟବସ୍ଥା ଉପରେ ଆକ୍ରମଣ କରନ୍ତି ଓ ତୁମେ ସେମାନଙ୍କ ସହିତ ହାତ ମିଳାଇବାକୁ ଚାହୁଁଛ ।
ସେ ଆହୁରି ମଧ୍ୟ କହିଥିଲେ ଯେ ଅସରପା ପରି ଯୁବପିଢ଼ି ଅଛନ୍ତି, ଯେଉଁମାନେ କୌଣସି ଚାକିରି ପାଆନ୍ତି ନାହିଁ କିମ୍ବା ସେମାନଙ୍କର କୌଣସି ବୃତି ନାହିଁ । ସେମାନଙ୍କ ମଧ୍ୟରୁ କେତେକ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ, ସୂଚନା ଅଧିକାରୀ କର୍ମୀ ଓ ଅନ୍ୟ କର୍ମକର୍ତା ଭାବେ ସମସ୍ତଙ୍କୁୁ ଆକ୍ରମଣ କରିବା ଆରମ୍ଭ କରି ଦିଅନ୍ତି ।
ସୁପ୍ରିମ କୋର୍ଟଙ୍କ ଟିପ୍ପଣୀ ପରେ ଆବେଦନକାରୀ ଖଣ୍ଡପୀଠକୁ ଭୁଲ ମାଗିବା ସହିତ ତାଙ୍କ ଆବେଦନ ଘେରାଇ ନେବାକୁ ଅନୁମତି ମାଗିଥିଲେ ଓ ଖଣ୍ଡପୀଠ ଏଥିପାଇଁ ଅନୁମତି ପ୍ରଦାନ କରିଥିଲେ ।