ଭାରତୀୟ ବଧିର କ୍ରିକେଟ ଦଳରେ ଦୀପ୍ତିରାଣୀ
ଓଡ଼ିଶାର ପ୍ରତିଭାବାନ ମହିଳା ବଧିର କ୍ରିକେଟ ଖେଳାଳି ଦୀପ୍ତିରାଣୀ ସାହୁ ଇତିହାସ ରଚିଛନ୍ତି ।
ପ୍ରଥମ ଓଡ଼ିଆ ଭାବେ ଆଗାମୀ ଶ୍ରୀଲଙ୍କା ବିପକ୍ଷ ୫ଟି ମ୍ୟାଚ ବିଶିଷ୍ଟ ଟ୍ୱେଂଟି-୨୦ ଶୃଙ୍ଖଳା ଲାଗି ସେ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ।
ଏହି ଶୃଙ୍ଖଳା ଶ୍ରୀଲଙ୍କାର ମୋରାତୁୱାଠାରେ ଜୁନ ୮ରୁ ୧୩ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ୧୫ଜଣିଆ ଭାରତୀୟ ଦଳରେ ଦୀପ୍ତିରାଣୀ ଅଲରାଉଣ୍ଡର ଭାବେ ସ୍ଥାନ ପାଇଛନ୍ତି । ଏହି ଶୃଙ୍ଖଳା ମଧ୍ୟ ବଧିର କ୍ରିକେଟର ପ୍ରଥମ ଅନ୍ତର୍ଜାତୀୟ ଶୃଙ୍ଖଳା ହେବାକୁ ଯାଉଛି । ସେହି ଦୃଷ୍ଟିରୁ ଦୀପ୍ତି ଦୁଇଟି ମାଇଲଖୁଂଟ ଅଧିକାରୀ ହେବାକୁ ଯାଉଛନ୍ତି ।
ବରମୁଣ୍ଡାସ୍ଥିତ ଫାୟାର ଷ୍ଟେସନ ବସ୍ତିରୁ ବାହାରି ଭାରତୀୟ ଦଳରେ ସ୍ଥାନ ପାଇଥିବା ଦୀପ୍ତିରାଣୀ ନିଜ କଠିନ ପରିଶ୍ରମ, ଏକାଗ୍ରତା ପାଇଁ ବହୁ ଉଦୀୟମାନ କ୍ରୀଡ଼ାବିତଙ୍କ ପାଇଁ ଆଦର୍ଶ ଓ ପ୍ରେରଣାର ଉତ୍ସ ପାଲଟିଛନ୍ତି । ତାଙ୍କ ପିତା ମନୋଜ କୁମାର ସାହୁ ହେଉଛନ୍ତି ଜଣେ କାର ଡ୍ରାଇବର ଓ ମାଆ ମାମା ସାହୁ ଜଣେ ଗୃହିଣୀ ।
ଦୀପ୍ତିରାଣୀଙ୍କ ପରିବାର ହେଉଛନ୍ତି ଭଞ୍ଜନଗରର ମୂଳ ବାସିନ୍ଦା । ନିଜ ଶାରିରୀକ ଦୁର୍ବଳତା ସତ୍ୱେ କ୍ରୀଡ଼ା କ୍ୟାରିୟରରେ ସେ ଏହାକୁ କେବେବି ପ୍ରତିବନ୍ଧକ ହେବାକୁ ଦେଇ ନାହାଁନ୍ତି ।
ନିଜ ପିଲା ବେଳର ସ୍ୱପ୍ନକୁ ଅନୁସରଣ କରି ଆଜି ଜଣେ ଅନ୍ତର୍ଜାତୀୟ ଖୋଳି ହେବାକୁ ଯାଉଛନ୍ତି । କ୍ରୀଡ଼ା ସହ ଯୁକ୍ତ ୩ ପାଠପଢ଼ାକୁ ମଧ୍ୟ ବଜାୟ ରଖିଛନ୍ତି ।