ସାଂସଦ ଅପରାଜିତାଙ୍କ ଗାଡ଼ିକୁ ଅଣ୍ଡାମାଡ଼
ଖୋର୍ଦ୍ଦା ଜିଲା ବୋଲଗଡ଼ ଥାନା ବ୍ରହ୍ମପୁରା ଛକ ଓଭରବ୍ରିଜ ଉପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାରକୁ ଅଣଡାମାଡ଼ ହୋଇଥିବା ଅଭିଯୋଗ ହୋଇଛି ।
ରବିବାର ସକାଳ ପ୍ରାୟ ସାଢ଼େ ୯ଟାରେ ଏଭଳି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ସୂଚନା ଅନୁଯାୟୀ ବୋଲଗଡ଼ ବ୍ଲକ ଦଳେଇସାହି ପଂଚାୟତରେ ଆୟୋଜିତ ଏକ ଚିକିତ୍ସା ଶିବିରରେ ଯୋଗ ଦେବା ପାଇଁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ୫୭ନମ୍ବର ଜାତୀୟ ରାଜପଥ ଦେଇ ଯାଉଥିଲେ ।
ବୋଲଗଡ଼ ପୁଲିସର ସୁରକ୍ଷା ବଳୟରେ ସାଂସଦଙ୍କ ଗାଡ଼ି ବ୍ରହ୍ମପୁରା ଛକ ବ୍ରିଜ ଅତିକ୍ରମ କରୁଥିବା ସମୟରେ ଏକ ବାଇକରେ ଆସି ଦୁଇ ଦୁର୍ବୃତ ତାଙ୍କ କାରକୁ ଲକ୍ଷ୍ୟ କରି ଅଣ୍ଡାମାଡ଼ କରି ଫେରାର ହୋଇଯାଇଥିଲେ । ଏହି ଘଟଣାର ଏକ ଭିଡ଼ିଓ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି । ୪ମାସ ପରେ ସାଂସଦ ବୋଲଗଡ଼ ବ୍ଲକ ଗସ୍ତ କରି ଦଳୀୟ କର୍ମୀମାନଙ୍କୁ ଭେଟିବା ସହ ଏହି ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆସିଥିଲେ ।
କେଉଁ କାରଣ ପାଇଁ ଏବଂ କେଉଁ ଗୋଷ୍ଠୀ ପକ୍ଷରୁ ସାଂସଦଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରାଯାଇଛି, ସେ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।
ଏ ସମ୍ପର୍କରେ ବୋଲଗଡ଼ ଥାନା ନିରୀକ୍ଷକ ସୁକାନ୍ତ ଦଳେଇ କହିଛନ୍ତି ଯେ ଅଣ୍ଡାମାଡ଼ କରିଥିବା ୨ଜଣ ଯୁବକ ମୁଣ୍ଡରେ ହେଲମେଟ ପିନ୍ଧିଥିଲେ । ମୁହଁ ଢାଙ୍କି ହୋଇ ରହିଥିବାରୁ ପ୍ରାଥମିକ ପର୍ଯ୍ୟାୟରେ ସେମାନଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇପାରି ନାହିଁ । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।