ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଇଏସଆଇ ମେଡ଼ିକାଲ କଲେଜ
ଭୁବନେଶ୍ୱରରେ ଏକ ଇଏସଆଇ ମେଡ଼ିକାଲ କଲେଜ ପ୍ରତିଷ୍ଠା ହେବାକୁ ଯାଉଛି ।
ଭୁବନେଶ୍ୱରର ଅନ୍ଧାରୁଆଠାରେ ଏହି ମେଡ଼ିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଗତକାଲି (ସୋମବାର ) ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଏବଂ ଭାରତ ସରକାରଙ୍କ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି) ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଛି ।
ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ ଏହି ପ୍ରକଳ୍ପର ସ୍ଥାୟୀ ଭିତିଭୂମି ଅନ୍ଧାରୁଆଠାରେ ନିର୍ମାଣ ହେବ । ମେଡ଼ିକାଲ କଲେଜର କାର୍ଯ୍ୟକୁ ତୁରନ୍ତ ଆରମ୍ଭ କରିବା ପାଇଁ ବର୍ତମାନ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ଇଏସଆଇ ହସ୍ପିଟାଲକୁ ବ୍ୟବହାର କରାଯିବ । ଏଥିପାଇଁ ଶ୍ରମ ବିଭାଗ ପକ୍ଷରୁ ଉକ୍ତ ହସ୍ପିଟାଲକୁ ଆନୁଷ୍ଠାନିକ ଭାବେ କର୍ମଚାରୀ ରାଜ୍ୟ ବୀମା ନିଗମଙ୍କୁ ହସ୍ତାନ୍ତର କରାଯାଇଛି ।
ଏହି ନୂତନ ମେଡ଼ିକାଲ କଲେଜ ପ୍ରତିଷ୍ଠାଦ୍ୱାରା ଆଗାମୀ ଦିନରେ ରାଜ୍ୟର ଶ୍ରମିକ ଓ ବୀମାଭୁକ୍ତ କର୍ମଚାରୀମାନେ ଅତ୍ୟାଧୁନିକ ଚିକିତ୍ସା ସେବା ପାଇପାରିବେ । ଚୁକ୍ତି ସ୍ୱାକ୍ଷର କାର୍ଯ୍ୟକ୍ରମ ଭରବଙ୍କନଶ୍ୱରସ୍ଥିତ ଖାରବେଳ ଭବନର ପଂଚମ ମହଲା ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିଲା । ଓଡ଼ିଶ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଆରୁମୁଗମଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତାଙ୍କ ଉପସ୍ଥିତ ଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ଓନିଶା ପକ୍ଷରୁ ଅତିରିକ୍ତ ଶାସନ ସଚିବ ରାଜେଶ କୁମାର ଅଗ୍ରୱାଲ, ଇଏସଆଇ ସ୍କିମର ନିର୍ଦେଶିକା ମଧୁମିତା ନାୟକ, ଯୁଗ୍ମ ନିର୍ଦେଶକ ଡ. ସୂର୍ଯ୍ୟନାରାୟଣ ପାଢ଼ୀ ଏବଂ ଚନ୍ଦ୍ରଶେଖରପୁର ଇଏସଆଇ ହସ୍ପିଟାଲର ଅଧୀକ୍ଷକ ଡ. ଅମୀୟ କୁମାର ସାମଲ, ଇଏସଆଇସି ପକ୍ଷରୁ ଇଷ୍ଟ ଜୋନର ମେଡ଼ିକାଲ କମିସନର ଡ. ରଚିତା ବିଶ୍ୱାସ, ଭୁବନେଶ୍ୱର ଆଂଚଳିକ କାର୍ଯ୍ୟାଳୟର ଆଂଚଳିକ ନିର୍ଦେଶକ ରୁଦ୍ରଦୀପ ଦତ, ରାଜ୍ୟ ମେଡ଼ିକାଲ ଅଫିସର ଡ. ଆଭା ତିର୍କୀ, ଏକ୍ସଜ୍ୟୁଟିଭ ଇଂଜିନିୟର (ଭାରପ୍ରାପ୍ତ) ସନ୍ଦୀପ ଗୋଏଲ ପ୍ରମୁଖ ଏହି ଚୁକ୍ତିପତ୍ରରେ ସ୍ୱାକ୍ଷର କରିଥିଲେ ।