ଆଧାର ନେଇ ବଡ଼ ଅପଡେଟ
ଆଧାରକାର୍ଡକୁ ନେଇ ପୁଣି ବଡ଼ ଅପଡେଟ ଆସିଛି । ୟୁଆଇଡିଏଆଇର ନୂତନ ନିର୍ଦେଶ ଅନୁଯାୟୀ ମାଗଣା ଆଧାର କାର୍ଡ ଅପଡେଟ କରିବା ପାଇଁ ଶେଷ ତାରିଖକୁ ଗୋଟିଏ ବର୍ଷ ବୃଦ୍ଦି କରାଯାଇଛି ।
ନାଗରିକମାନେ ଏବେ ଜୁନ ୧୪, ୨୦୨୭ ପର୍ଯ୍ୟନ୍ତ ମାଗଣାରେ ସେମାନଙ୍କର ଆଧାର କାର୍ଡ ଅପଡେଟ କରିପାରିବେ । ପୂର୍ବରୁ ଏହି ଶେଷ ତାରିଖ ଜୁନ ୧୫, ୨୦୨୬ ଥିଲା, କିନ୍ତୁ ଏବେ ଆଉ ଗୋଟିଏ ବର୍ଷ ବୃଦ୍ଧି କରାଯାଇଛି । ମାଗଣା ଆଧାରକାର୍ଡ ଅପଡେଟ ସୁବିଧା କେବଳ (ମାଇ ଆଧାର) ପୋର୍ଟାଲ ମାଧ୍ୟମରେ ଅନଲାଇନରେ ଉପଲବ୍ଧ ହେବ ।
ଏହି ସୁବିଧା ସେମାନଙ୍କ ପାଇଁ ଉପଲବ୍ଧ ଯାହାର ଆଧାର କାର୍ଡ ବହୁ ବର୍ଷ ପୁରୁଣା ଏବଂ ଯାହାର ବିବରଣୀ ଆଜି ପର୍ଯ୍ୟନ୍ତ ଅପଡେଟ ହୋଇନାହିଁ । ଆପଣଙ୍କର ଆଧାର କାର୍ଡକୁ ଅପଡେଟ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ନ କଲେ ଲୋକମାନେ ବ୍ୟାଙ୍କ ସେବା, ପେନସନ, ଗ୍ୟାସ ସଯୋଗ ଏବଂ ଅନ୍ୟାନ୍ୟ ସରକାରୀ ସେବା ପାଇବାରୁ ବଂଚିତ ହେବେ ।
ସେମାନେ ମୋବାଇଲ ସିମ କାର୍ଡ ଏବଂ ଅନ୍ୟାନ୍ୟ ଜରୁରୀ ଜିନିଷ କିଣିପାରିବେ ନାହିଁ । ତେଣୁ ଆପଣ କୌଣସି ଶୁଳ୍କ ନ ଦେଇ ଅନଲାଇନରେ ଆବେଦନ କରିପାରିବେ ଏବଂ ଆପଣଙ୍କର ଆଧାରକୁ ଅପଡେଟ କରିପାରିବେ । ଯଦି ଆପଣ ଆଧାର କେନ୍ଦ୍ରରେ ଅଫଲାଇନରେ ଆପଣଙ୍କର ଆଧାର କାର୍ଡ ଅପଡେଟ କରନ୍ତି, ତେବେ ଆପଣଙ୍କୁ ଏକ ଶୁଳ୍କ ଦେବାକୁ ପଡ଼ିବ । ୟୁଆଇଡିଏଆଇ ଆପଣଙ୍କର ଆଧାର ଅପଡେଟ କରିବା ପାଇଁ ୫୦ରୁ ୭୫ଟଙ୍କା ପର୍ଯ୍ୟନ୍ତ ଶୁଳ୍କ ଧାର୍ଯ୍ୟ କରିଛି । ଏହା ସହିତ ଆପଣ ସରକାରୀ ପୋର୍ଟାଲରେ ଅନଲାଇନରେ ଆବେଦନ କରି ଆପଣଙ୍କର ନାମ, ଜନ୍ମ ତାରିଖ, ଲିଙ୍ଗ ଏବଂ ଠିକଣା ଅପଡେଟ କରିପାରିବେ ।
(ୟୁଆଇଡିଏଆଇ)ର (ମାଇ ଆଧାର) ପୋର୍ଟାଲକୁ ଯାଆନ୍ତୁ ଏବଂ ଆପଣଙ୍କର ୧୨ଅଙ୍କ ବିଶିଷ୍ଟ ଆଧାର ନମ୍ବର ଦେଇ ଲଗ ଇନ କରନ୍ତୁ । ଆପଣଙ୍କର ପଞ୍ଜିକୃତ ମୋବାଇଲ ନମ୍ବରରେ ପ୍ରାପ୍ତ ଓଟିପି ଦେଇ ଆପଣଙ୍କର ଆକାଉଂଟ ଖୋଲନ୍ତୁ । ଆଧାର ଅନଲାଇନ ଅପଡେଟ କିମ୍ବା ଡକ୍ୟୁମେଂଟ ଅପଡେଟ ବିକଳ୍ପ ଉପରେ କ୍ଲିକ କରନ୍ତୁ ।
ଆପଣ ଅପଡେଟ କରିବାକୁ ଚାହୁଁଥିବା ନାମ, ଠିକଣା ଏବଂ ଜନ୍ମ ତାରିଖର ବିବରଣୀ ପୂରଣ କରନ୍ତୁ ଏବଂ ଆପଣଙ୍କର ପରିଚୟ ପତ୍ର ଏବଂ ଠିକଣା ପ୍ରମାଣ ଡକ୍ୟୁମେଂଟର ସ୍କାନ କପି ଅପଲୋଡ କରନ୍ତୁ । ସମ୍ପୂର୍ଣ୍ଣ ଫର୍ମ ଯାଂଚ କରିବା ପରେ ଏବଂ ସବମିଟ ଉପରେ କ୍ଲିକ କରିବା ପରେ, ଆପଣ ଏକ ଏସଆରଏନ ନମ୍ବର ପାଇବେ, ଯାହା ଆପଣଙ୍କୁ ଅନଲାଇନ ଅପଡେଟର ସ୍ଥିତି ଟ୍ରାକ କରିବାରେ ସାହାଯ୍ୟ କରିବ ।