ମାଟ୍ରିକ ସପ୍ଲିମେଂଟାରୀ ପରୀକ୍ଷା ଫର୍ମପୂରଣ ୨୫ ଯାଏ ବଢ଼ିଲା
ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ସପ୍ଲିମେଟାରୀ ପରୀକ୍ଷା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା (ଦ୍ୱିତୀୟ) ନିମନ୍ତେ ଫର୍ମପୂରଣ ଅବଧି ବୃଦ୍ଧି ପାଇଛି ।
ଚଳିତ ମାଟ୍ରିକ ପରୀକ୍ଷାରେ ଅକୃତକାର୍ଯ୍ୟ ଓ ଅନୁପସ୍ଥିତ ଥିବା ଛାତ୍ରଛାତ୍ରୀ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଫର୍ମପୂରଣ କରିପାରିବେ । ଏଥିପାଇଁ ବୋର୍ଡ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ ଚଳିତବର୍ଷ ୧୭ହଜାର ୫୫ ଛାତ୍ରଛାତ୍ରୀ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଛନ୍ତି ।
ଏଥିସହ ୮ହଜାର ୩୬୪ଜଣ ଅନୁପସ୍ଥିତ ରହିଥିଲେ । ତେଣୁ ମୋଟ ୨୫ହଜାର ୪୧୯ଜଣ ଛାତ୍ରଛାତ୍ରୀ ମାଟ୍ରିକ ସପ୍ଲିମେଂଟାରୀ ପରୀକ୍ଷା ଦେବାକୁ ଥିବାବେଳେ ଆସନ୍ତା ଜୁଲାଇ ପ୍ରଥମ ସପ୍ତାହରେ ଏହି ପରୀକ୍ଷା ହେବ । ଅଗଷଟ ଶେଷ ସୁଦ୍ଧା ଫଳ ପ୍ରକାଶ ପାଇବ ।
ଗତ ୮ତାରିଖରୁ ଫର୍ମପୂରଣ ଆରମ୍ଭ ହୋଇଥିଲା, ଆଜି ଶେଷ ତାରିଖ ଥିବାବେଳେ ବହୁ ଛାତ୍ରଛାତ୍ରୀ ଏବେ ସୁଦ୍ଧା ଫର୍ମପୂରଣ କରିନାହାନ୍ତି ।
ତେଣୁ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅନୁରୋଧକ୍ରମେ ଅବଧି ବୃଦ୍ଧି କରାଯାଇଥିବା ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି ।