‘ଆମ ଗାଁରେ ଆମ ତହସିଲ’
ରାଜ୍ୟରେ “ଆମ ଗାଁରେ ଆମ ତହସିଲ’ କାର୍ଯ୍ୟକ୍ରମ ଆରମ୍ଭ ହେବ । ଗ୍ରାମ ଅଥବା ପଂଚାୟତସ୍ତରରେ ତହସିଲ କ୍ୟାମ୍ପ କୋର୍ଟ କରାଯିବ ।
ଯାହା ମାଧ୍ୟମରେ ଗାଁରେ ତହସିଲ ଅଧିକାରୀ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବା ସହ ପ୍ରଜାଖାନା ସଂଶୋଧନ, ଡିମାର୍କେସନ ଆଦି ବିଭିନ୍ନ ରାଜସ୍ୱ ସେବା ଯୋଗାଇଦେବେ । ସେହିପରି ବରିଷ୍ଠ ଅଧିକାରୀ ଜିଲା ଗସ୍ତ କରି ଲୋକଙ୍କ ତହସିଲରୁ ଉପଯୁକ୍ତ ସେବା ମିଳୁଛି ନା ନାହିଁ ଇତ୍ୟାଦି ତଦାରଖ କରିବେ ।
ରାଜସ୍ୱ ସେବାକୁ ନେଇ ସମସ୍ୟା ଲାଗି ରହିଥିବାବେଳେ ତୃଣମୂଳସ୍ତରରେ ସରକାରୀ ସେବା ପହଂଚାଇବା ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଚି । ଲୋକସେବା ଭବନରେ ରାଜସ୍ୱମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇଛି । ଏଥିସହ ସହରାଂଚଳ ଚାଷ ଜମି କିସମ ପରିବର୍ତନ ନିୟମକୁ ସରଳୀକରଣ କରିବା ପାଇଁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି ।
ବିଗତ ଦୁଇବର୍ଷରେ ସନିଶା ଜନସେବା ଅଧିକାର ଆଇନ ଆଧାରରେ ୨.୫କୋଟିରୁ ଊର୍ଦ୍ଧ ରାଜସ୍ୱ ସେବା ଯୋଗାଇ ଦିଆଯାଇଥିବା ବେଳେ ଆଗାମୀ ଦିନରେ ଏହାକୁ ଆହୁରି ଅଧିକ ଲୋକାଭିମୁଖୀ କରାଯିବା ନେଇ ଆଲୋଚନା ହୋଇଛି ।
ଖୁବଶୀଘ୍ର ବିସ୍ଥାପିତ ଲୋକଙ୍କ ପାଇଁ ନୂତନ ପୁନର୍ବାସ ଓ ଥଇଥାନ ଆଇନର ରୂପରେଖ ପ୍ରସ୍ତୁତ କରାଯାଇ କାର୍ଯ୍ୟକାରୀ କରାଯିବ ବୋଲି ନିଷ୍ପତି ହୋଇଛି ।
ବୈଠକରେ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।