ଗରମ ପାଇଁ ବଢ଼ୁଛି ବିଦ୍ୟୁତ ଚାହିଦା
ଦେଶରେ ବିଦ୍ୟୁତ ଚାହିଦା ଗତ ସୋମବାର ଐତିହାସିକ ରେକର୍ଡ ୨୫୭.୩୭ ଗିଗାୱାଟ ଛୁଇଁଛି ।
ପ୍ରବଳ ଖରା ଓ ଗରମ ପାଇଁ ଦେଶରେ ଏୟାର କଣ୍ଡସନର ଓ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ବ୍ୟବହାର ବୃଦ୍ଧି ପାଇବାରୁ ଏହା ହୋଇଛି । ଶକ୍ତି ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହା ପୂର୍ବରୁ ଚଳିତବର୍ଷ ଏପ୍ରିଲ ୨୫ ଅପରାହ୍ନ ୩ଟା ୩୮ମିନିଟ୍ରେ ବିଦ୍ୟୁତ ବ୍ୟବହାର ସର୍ବାଧିକ ୨୫୬.୧୧ ଗିଗାୱାଟ ଥିଲା ।
କିନ୍ତୁ ଗତକାଲି ଅପରାହ୍ନ ୩ଟା ୪୨ମିନିଟରେଏହି ଚାହିଦା ୨୫୭.୩୭ ଗିଗାୱାଟରେ ପହଂଚିଛି । ଏହି ଚାହିଦାକୁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ପୂରଣ କରାଯାଇଛି । ଚଳିତବର୍ଷ ଗ୍ରୀଷ୍ମଋତୁରେ ଦେଶରେ ସର୍ବାଧିକ ଶକ୍ତି ଚାହିଦା ୨୭୦ ଗିଗାୱାଟରେ ପହଂଚିବ ବୋଲି ମନ୍ତ୍ରଣାଳୟ ଆକଳନ କରିଛି । ଦେଶର ବହୁ ଅଂଚଳରେ ସୋମବାର ତାପମାତ୍ରା ୪୫ଡିଗ୍ରୀରେ ପହଂଚିଥିଲା ।
ପାଣିପାଗ ବିଭାଗ ପକ୍ଷରୁ ଦେଶର ଉତର ପଶ୍ଚିମ ଏବଂ କେନ୍ଦ୍ରାଂଚଳରେ ଚଳିତବର୍ଷ ଗ୍ରୀଷ୍ମ ଲହରୀ ଦେଖାଯିବ ବୋଲି ମଧ୍ୟ ପୂର୍ବାନୁମାନ କରାଯାଇଛି । ଉଚ୍ଚ ତାପମାତ୍ରା ସହିତ ଗରମ ପବନ ବହୁଥିବାରୁ ଲୋକମାନେ ଆଉଟୁପାଉଟୁ ହେଉଛନ୍ତି । ତାତିରୁ ରକ୍ଷା ପାଇବା ପାଇଁ ଲୋକମାନେ ଅଧିକରୁ ଅଧିକ ମାତ୍ରାରେ ଏୟାର କଣ୍ଡିସନର, ଏୟାର କୁଲର ଏବଂ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ବ୍ୟବହାର କରୁଛନ୍ତି ।
ଏଥିଯୋଗୁ ବିଦ୍ୟୁତ ଚାହିଦା ବଢ଼ୁଛି । ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ଜୁନରେ ସର୍ବାଧିକ ବିଦ୍ୟୁତ ଚାହିଦା ୨୪୨.୭୭ ଗିଗାୱାଟ, ୨୦୨୪ରେ ୨୫୦ ଗିଗାୱାଟ ଏବଂ ୨୦୨୩ ସେପ୍ଟେମ୍ବରରେ ୨୪୩.୨୭ଗିଗାୱାଟ ରହିଥିଲା ।