କ୍ୟାବିନେଟରେ ସାମିଲ ହେବେ ନାହିଁ ଏଆଇଏଡିଏମକେର ବିଦ୍ରୋହୀ ବିଧାୟକ
ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ସି ଯୋଶେଫ ବିଜୟଙ୍କ ତାମିଲାଗା ଭେଟ୍ଟ୍ରି କାଝାଗମ (ଟିଭିକେ) ନିଜ କ୍ୟାବିନେଟରେ ଏଆଇଏଡିଏମକେର ବିଦ୍ରୋହୀ ବିଧାୟକଙ୍କୁ ସାମିଲ କରିବ ନାହିଁ ।
ଭିସିକେ ଓ ବାମଦଳ ପରି ସହଯୋଗୀ ଦଳମାନଙ୍କ ବିରୋଧ ପରେ ଟିଭିକେ ଏହି ନିଷ୍ପତି ନେଇଛି । ବିଜୟଙ୍କ ଆସ୍ଥା ଭୋଟରେ ଏଆଇଏଡିଏମକେର ୨୫ ବିଧାୟକ ପାର୍ଟିଲାଇନ ବାହାରକୁ ଯାଇ ବିଜୟଙ୍କୁ ସମର୍ଥନ କରିଥିଲେ । ଆଗାମୀ କ୍ୟାବିନେଟ ବିସ୍ତାର ସମୟରେ ଟିଭିକେ ନେତୃତ୍ୱାଧୀନ ସରକାରଙ୍କୁ ସମର୍ଥନ କରୁଥିବା ଏଆଇଏଡିଏମକେ ବିଧାୟକଙ୍କ ଏକ ଅଂଶକୁ ମନ୍ତ୍ରୀ ପଦ ଦିଆଯାଇପାରେ ବୋଲି କଳ୍ପନାଜଳ୍ପନା ପରେ ଏହି ସ୍ପଷ୍ଟୀକରଣ ଦିଆଯାଇଛି ।
ଭିସିକେ ମୁଖ୍ୟ ଥୋଲ ତିରୁମାଭାଲାଭନ କହିଛନ୍ତି ଯେ ତାଙ୍କ ଦଳ ପୂର୍ବରୁ ଟିଭିକେକୁ ନିଜର ମତ ଜଣାଇ ସାରିଛି ଓ ଚେତାବନୀ ଦେଇଛନ୍ତି ଯେ ବିଦ୍ରୋହୀ ଏଆଇଏଡିଏମକେ ବିଧାୟକମାନଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବା ପାଇଁ ଯେକୌଣସି ପଦକ୍ଷେପ ସହଯୋଗୀମାନଙ୍କୁ ସେମାନଙ୍କର ସମର୍ଥନର ପୁନର୍ବିଚାର କରିବାକୁ ବାଧ୍ୟ କରିପାରେ ।
ତେବେ ଏଆଇଏଡିଏମକେ ବିଧାୟକଙ୍କୁ ମନ୍ତ୍ରିମର୍ଡଳରେ ସାମିଲ କରାଯିବ ନାହିଁ ବୋଲି ଟିଭିକେ ପକ୍ଷରୁ ଆଶ୍ୱାସନା ଦିଆଯାଇଥିବା ଭିସିକେ କହିଛି । ଆହୁରି ଜଣାପଡ଼ିଛି ଯେ ସିପିଆଇଏମ ମଧ୍ୟ ସମାନ ପ୍ରକାର ଦାବି ରଖିଥିଲା ।
ମୁଖ୍ୟମନ୍ତ୍ରୀ ବିଜୟ ମନ୍ତ୍ରିମଣ୍ଡଳ ବିସ୍ତାର ପାଇଁ ପ୍ରସ୍ତୁତ ହେଉଥିବାବେଳେ ଏହି ପ୍ରତିଶ୍ରୁତି ଆସିଛି । କ୍ୟାବିନେଟରେ କଂଗ୍ରେସକୁ ଦୁଇ ମନ୍ତ୍ରିପଦ ମିଳିବାର ସମ୍ଭାବନା ରହିଛି । ଟିଭିକେ ସାଧାରଣ ସମ୍ପାଦକ ଆଧବ ଅର୍ଜୁନ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଖୁବ ଶୀଘ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଘୋଷଣା କରିବେ ଓ ଦଳ ସହଯୋଗୀମାନଙ୍କ ସହିତ କ୍ଷମତା ବାଂଟିବା ପାଇଁ ଖୋଲା ରହିଛି ।
ସୂତ୍ର ଅନୁଯାୟୀ କ୍ୟାବିନେଟରେ ପ୍ରାୟ ୩୪ ସଦସ୍ୟଙ୍କୁ ସାମିଲ କରାଯାଇପାରେ । ଟିଭିକେ ମେଂଟ ପ୍ରତିଶ୍ରୁତି ଓ ଜାତି ଆଂଚଳିକ ସମୀକରଣକୁ ସନ୍ତୁଳିତ କରିବା ସହିତ ଅଧିକାଂଶ ପ୍ରମୁଖ ବିଭାଗ ବଜାୟ ରଖିବ ବୋଲି ଆଶା କରାଯାଉଛି ।