ନିଟ-ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
ଅଣ୍ଡର ଗ୍ରାଜୁଏଟ ମେଡ଼ିକାଲ ପାଠ୍ୟକ୍ରମରେ ନାମ ଲେଖା ପାଇଁ ପ୍ରବେଶିକା ପରୀକ୍ଷା ନିଟ-ୟୁଜି ୨୦୨୬କୁ ପୁନଃ ଆୟୋଜନ କରାଯାଉଛି ।
ମେ ୩ରେ ହୋଇଥିବା ନିଟ-ୟୁଜି ୨୦୨୬କୁ ପ୍ରଶ୍ନପତ୍ର ପ୍ରଘଟ କାରଣରୁ ବାତିଲ କରାଯିବା ପରେ ଆସନ୍ତା ଜୁନ ୨୧ରେ ଏହି ପରୀକ୍ଷା ପୁନର୍ବାର ହେବାକୁ ଯାଉଛି । ପୁନର୍ବାର ହେବାକୁ ଯାଉଥିବା ଏହି ପ୍ରବେଶିକା ପରୀକ୍ଷା ପ୍ରସ୍ତୁତିକୁ ମଙ୍ଗଳବାର କେନ୍ଦ୍ର ଶିକ୍ଷାନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମୀକ୍ଷା କରିଛନ୍ତି ।
ବୈଠକରେ ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ)ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ମନ୍ତ୍ରୀ ଶ୍ରୀ ପ୍ରଧାନ ସମସ୍ତ ପ୍ରକାର ତ୍ରୁଟି ବିଚ୍ୟୁତିକୁ ସୁଧାରିବା ସହିତ ଅସତ ଉପାୟକୁ ରୋକିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।
ପରୀକ୍ଷା କେନ୍ଦ୍ରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହିତ ପ୍ରଶ୍ନପତ୍ର ପରିବହନକୁ ଧାର୍ଯ୍ୟ ନିୟମ (ପ୍ରୋଟୋକଲ) ଅନୁଯାୟୀ କରିବାକୁ କହିଛନ୍ତି ।
ସୁରକ୍ଷା ବ୍ୟବସ୍ଥା ପାଇଁ ପ୍ରତ୍ୟେକ ଜିଲାପାଳ ଓ ପୁଲିସ ଅଧୀକ୍ଷକ ସହିତ ସମନ୍ୱୟ ବୈଠକ କରିବାକୁ କୁହାଯାଇଛି ।
ପରୀକ୍ଷା ପରିଚାଳନାରେ କୌଣସି ପ୍ରକାର ଅନିୟମିତତା ପାଇଁ ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରାଯିବ ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି ।
ଅନ୍ୟପଟେ ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ କ୍ରମରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବର୍ତମାନ ସୁଦ୍ଧା ୧୦ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।