ପଞ୍ଜାବରେ ଅଦିନିଆ ରଥଯାତ୍ରା ସ୍ଥଗିତ
ପଞ୍ଜାବରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ସ୍ଥଗିତ ରହିଛି । ଶ୍ରୀମନ୍ଦିର ପ୍ରଶାସନର ପ୍ରତିବାଦ ପରେ ସ୍ଥଗିତ ହୋଇଥିବା ନେଇ ଘୋଷଣା କରାଯାଇଛି ।
ଫିରୋଜପୁର କ୍ୟାଂଟନମେଂଟ ଜଗନ୍ନାଥ ମନ୍ଦିର ପକ୍ଷରୁ ସ୍ଥଗିତ ରଖିବାକୁ ସହମତି ମିଳିଛି । ମେ ୨୩ ତାରିଖରେ ହେବାକୁ ଥିବା ରଥଯାତ୍ରାକୁ ସ୍ଥଗିତ ନେଇ ଘୋଷଣା କରାଯାଇଛି । ଧାର୍ଯ୍ୟ ତିଥି ଜୁଲା ୧୬ରେ ରଥଯାତ୍ରା କରିବା ନେଇ ସହମତି ଦେଇଛନ୍ତି । ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଲେ ଫିରୋଜପୁର ଜିଲାପାଳ ।
ମାତ୍ର ୟୁପି ହାପୁର ରଥଯାତ୍ରା ସ୍ଥଗିତ ନେଇ କୌଣସି ସୂଚନା ମିଳିନାହିଁ । ମନ୍ଦିର ପ୍ରଶାସନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଫିରୋଜପୁର କ୍ୟାଂଟନମେଂଟରେ ଅବସ୍ଥିତ ଏକ ସ୍ଥାନୀୟ ଜଗନ୍ନାଥ ମନ୍ଦିର ସରକାରୀ ଭାବେ ନିର୍ଦ୍ଦାରିତ ତାରିଖର ପ୍ରାୟ ଦୁଇମାସ ପୂର୍ବରୁ ରଥଯାତ୍ରା ଆୟୋଜନ କରିବାକୁ ଯୋଜନା କରୁଥିଲା ।
ଶ୍ରୀମନ୍ଦିର ପ୍ରଶାସନ କହିଛି ଯେ ଏହି ପବିତ୍ର ପର୍ବ ପ୍ରଭୁ ଜଗନ୍ନାଥଙ୍କ ସହିତ ଜଡ଼ିତ ପାରମ୍ପରିକ ତିଥି ଏବଂ ଶାସ୍ତ୍ରୀୟ କ୍ୟାଲେଣ୍ଡର ଅନୁସରଣ କରିବା ଉଚିତ । ଶ୍ରୀ ଜଗନ୍ନାଥ ମନ୍ଦିରର ସରକାରୀ ରୀତିନୀତି ସୂଚୀ ଅନୁଯାୟୀ ୨୦୨୬ ମସିହାରେ ରଥଯାତ୍ରା ଜୁଲାଇ ୧୬ରେ ପାଳନ କରାଯିବ ।
ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଫିରୋଜପୁରର ଏକ ଜଗନ୍ନାଥ ମନ୍ଦିର ଦ୍ୱାରା ପ୍ରସ୍ତାବିତ ଅଦିନିଆ ରଥଯାତ୍ରା ପାଳନକୁ କଡ଼ା ବିରୋଧ କରିବା ସହ ପଞ୍ଜାବ ପ୍ରଶାସନକୁ ଏହି କାର୍ଯ୍ୟକ୍ରମକୁ ତୁରନ୍ତ ବନ୍ଦ କରିବାକୁ ଅନୁରୋଧ କରିଥିଲା ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ଫିରୋଜପୁରର ଡେପୁଟି କମିସନର – କମ ଜିଲା ମାଜିଷ୍ଟ୍ରେଟ ଦୀପଶିଖା ଶର୍ମାଙ୍କୁ ଚିଠି ଲେଖି ମେ ୨୩, ୨୦୨୬ରେ ମହୋତ୍ସବ ଆୟୋଜନ ନ କରିବା ପାଇଁ ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ ।
ଡକ୍ଟର ପାଢ଼ୀ ତାଙ୍କ ଚିଠିରେ ଉଲ୍ଲେଖ କରିଥିଲେ ଯେ କୌଣସି ଅନଧିକୃତ ତାରିଖରେ ଉତ୍ସବ ପାଳନ କରିବା ଦ୍ୱାରା ଭାରତ ଏବଂ ବିଦେଶରେ ଲକ୍ଷଲକ୍ଷ ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇପାରେ ।