ମାର୍କ ବଢ଼ାଇବା ଲାଗି ମିଳିବ ସୁଯୋଗ
ଜୁଲାଇରେ ପରୀକ୍ଷା, ଗୋଟିଏ ବିଷୟରେ ଦେଇହେବ ପରୀକ୍ଷା
ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗରେ ଉତୀର୍ଣ୍ଣ ହୋଇଥିବା ଯେକୌଣସି ପରୀକ୍ଷାର୍ଥୀଙ୍କୁ ମାର୍କ (ନମ୍ବର) ବଢ଼ାଇବାର ସୁଯୋଗ ପ୍ରଦାନ କରାଯାଇଛି ।
ପ୍ରଥମ ଥର ପାଇଁ ଓଡ଼ିଶା ବୋର୍ଡ ପକ୍ଷରୁ ଏଭଳି ସୁଯୋଗ ଦିଆଯିବ । ଜଣେ ପରୀକ୍ଷାର୍ଥୀ କେବଳ ଗୋଟିଏ ବିଷୟରେ ପରୀକ୍ଷ ଦେଇ ନିଜ ନମ୍ବର ବଢ଼ାଇପାରିବେ । ତେବେ ପରୀକ୍ଷାର୍ଥୀଜଣକ ୨୦୨୬ ମସିହା ପରୀକ୍ଷା ପାଇଁ ପଞ୍ଜିକୃତ ହୋଇଥିବେ ଏବଂ ସମସ୍ତ ବିଷୟରେ ପାସ କରିଥିବେ ।
ଜୁଲାଇ ପ୍ରଥମ ସପ୍ତାହରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ଜୁଲାଇ ପ୍ରଥମ ସପ୍ତାହରେ ହିଁ ବାର୍ଷିକ ତକ୍ରାଳ (ଇନଷ୍ଟାଂଟ) ପରୀକ୍ଷା ଅନୁଷ୍ଠିତ ହେବ । ଏଥିପାଇଁ ଫର୍ମ ପୂରଣ କରିବାକୁ ଆସନ୍ତା ୨୭ ତାରିଖ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ପାଇବ । ଏହି ପରୀକ୍ଷା ପାଇଁ ପରୀକ୍ଷାର୍ଥୀ ୨୦୨୬ ବାର୍ଷିକ ପରୀକ୍ଷାରେ ପଞ୍ଜିକୃତ ହୋଇଥିବା ନିତ୍ୟାନ୍ତ ଆବଶ୍ୟକ ।
ଯେକୌଣସି ଗୋଟିଏ ବିଷୟରେ ଅକୃତକାର୍ଯ୍ୟ ହୋଇଥିବେ ଏବଂ ସମୁଦାୟ ମାର୍କ ୨୧୦ କିମ୍ବା ତାହାଠାରୁ ଅଧିକ ରହିବା ଆବଶ୍ୟକ । ଏହି ଦୁଇଟି ପରୀକ୍ଷା ଦ୍ୱାରା ଛାତ୍ରଛାତ୍ରୀ ଭଲ ନମ୍ବର ରଖିବା ସହ ଜାତୀୟ ସ୍ତରୀୟ ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରିବେ ଏବଂ ଓଡ଼ିଶାରେ ଡ୍ରପଆଉଟ ହାର ହ୍ରାସ ପାଇବା ସମ୍ଭବ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।
ସେହିପରି ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇଛି, ସମସ୍ତ ବିଭାଗରେ ପାସହାର ଗତବର୍ଷ ତୁଳନାରେ ବୃଦ୍ଧି ପାଇଛି । ତେବେ ଯେଉଁ ପରୀକ୍ଷାର୍ଥୀଙ୍କ ମାର୍କ ଅର୍ଥାତ ନମ୍ବର ପାଇଁ କିଛି ସମସ୍ୟା ଥାଏ, ସେମାନେ କେବେ ଆବେଦନ କରିବେ ତାହା ଆସନ୍ତା ୨୭ତାରିଖ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁହାଯାଇଛି ।
ସେହିପରି ଛାତ୍ରଛାତ୍ରୀମାନେ ଡିଜିଲକରରେ ସେମାନଙ୍କ ସାର୍ଟିଫିକେଟ, ମାର୍କସିଟ ଭଳି ଡିଜିଟାଲ ଏକାଡେମିକ ଡକ୍ୟୁମେଂଟ ପାଇପାରିବେ ।
ଛାତ୍ରଛାତ୍ରୀ ନିଜନିଜ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ପରିଷଦଦ୍ୱାରା ପ୍ରଦାନ କରାଯାଇଥିବା ସାର୍ଟିଫିକେଟ ଓ ମାର୍କସିଟର ହାର୍ଡକପି ଜୁନ ୧୫ତାରିଖ ମଧ୍ୟରେ ପାଇପାରିବେ ବୋଲି ପରିଷଦ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା ସୂଚାଇଛନ୍ତି ।