‘ମ୍ୟୁଚୁଆଲ ଫଣ୍ଡ’ ମୁହାଁ ଭାରତୀୟ ପରିବାର
‘ମ୍ୟୁଚୁଆଲ ଫଣ୍ଡ’ ଜରିଆରେ ଅଧିକରୁ ଅଧିକ ଭାରତୀୟ ପରିବାର ଷ୍ଟକ ବଜାରରେ ନିବେଶ କରୁଛନ୍ତି ।
ବର୍ଷକ ଭିତରେ ଏଭଳି ନିବେଶର ଦୁଇଗୁଣା ବୃଦ୍ଧି ଘଟିଛି । ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ଏକ ରିପୋର୍ଟ ଅନୁସାରେ ଭାରତୀୟ ପରିବାରଗୁଡ଼ିକ ୨୦୨୪-୨୫ରେ ଷ୍ଟକ ବଜାରରେ ୬.୯୧ଲକ୍ଷ କୋଟି ଟଙ୍କା ନିବେଶ କରିଛନ୍ତି । ୨୦୨୨-୨୩ରେ ସେହି ପରିମାଣ ୨.୬୦ ଲକ୍ଷ କୋଟି ଟଙ୍କା ଓ ୨୦୨୩-୨୪ରେ ୩.୫୮ ଲକ୍ଷ ଟଙ୍କା ଥିଲା ।
ଭାରତୀୟ ପରିବାରଗୁଡ଼ିକ ନିଜ ସଂଚୟ ରାଶିକୁ ନିବେଶ କରିବାର ରଣନୀତି ବଦଳାଇଥିବା ଏହି ରିପୋର୍ଟରୁ ଜଣାପଡ଼ୁଛି । ପାରମ୍ରପିକ ଭାବେ ସୁନା କିଣିବା କିମ୍ବା ଘର, ଜମି ଇତ୍ୟାଦି ସମ୍ପତିରେ ନିବେଶ କରିବାକୁ ଲୋକମାନେ ପସନ୍ଦ କରୁଥିଲେ, ଏବେ କିନ୍ତୁ ସେମାନେ ସିଷ୍ଟମେଟିକ ଇନଭେଷ୍ଟମେଂଟ ପ୍ଲାନ (ଏସଆଇପି) ଜରିଆରେ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବାକୁ ଚାହୁଁଛନ୍ତି ।
ଭାରତୀୟ ପରିବାରଗୁଡ଼ିକ ନିବେଶ ସମୟରେ ମ୍ୟୁଚୁଆଲ ଫଣ୍ଡ, ଇକ୍ୱିଟି, ଏକ୍ସଚେଞ୍ଜ ଟ୍ରେଡଡ ଫଣ୍ଡ (ଇଟିଏଫ), ଆରଇଆଇଟି, ଇନଭିଟି ଆଦିକୁ ଚୟନ କରୁଛନ୍ତି । ୨୦୨୪-୨୫ରେ ଷ୍ଟକ ବଜାରରେ ଲୋକମାନେ ନିବେଶ କରିଥିବା ମୋଟ ରାଶି ମଧ୍ୟରୁ ୫.୧୩ ଲକ୍ଷ କୋଟି ଟଙ୍କା ମ୍ୟୁଚୁଆଲ ଫଣ୍ଡ ଜରିଆରେ କରିଛନ୍ତି । ହାରାହାରି ଭାବେ ପ୍ରତି ପାଂଚରୁ ଚାରି ପରିବାର ମ୍ୟୁଚୁଆଲ ଫଣ୍ଡକୁ ନିବେଶ ପାଇଁ ଚୟନ କରିଛନ୍ତି । ରିପୋର୍ଟରୁ ଜଣାପଡ଼ିଛି ଯେ ଭାରତୀୟ ପରିବାରଗୁଡ଼ିକ ୨୦୨୩-୨୪ରେ ୬୯,୩୯କୋଟି ଟଙ୍କା ଓ ୨୦୨୪-୨୫ରେ ୫୪,୭୮୬ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରିଥିଲେ ।
ଏଥରୁ ଏହା ଜଣାପଡ଼ୁଛି ଯେ ଲାଭ ପାଇବା ଆଶାରେ ଲୋକମାନେ ନିଜ ପାଖରେ ଥିବା ସେୟାରକୁ ବିକ୍ରି ମଧ୍ୟ କରୁଛନ୍ତି ।
ରିପୋର୍ଟ ଅନୁସାରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ସଂଚୟର ଅନୁପାତ ୩୪.୯୪ ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ପୂର୍ବବର୍ଷ ୩୪.୪୭ ପ୍ରତିଶତ ଥିଲା ।
ପ୍ରତିଭୂତି ବଜାରରେ ପରିବାର ସଂଚୟ ରାଶି ନିବେଶ ହାର ଏହି ବର୍ଷକ ଭିତରେ ୧.୭୧ ପ୍ରତିଶତରୁ ବଢ଼ି ୨.୧୭ ପ୍ରତିଶତ ହୋଇଛି । ନିଟ ପରିବାର ଆର୍ଥିକ ସଂଚୟ ହାର ଜିଡିର ୭.୧୦ ପ୍ରତିଶତ ରହିଛି, ଯାହା ପୂର୍ବବର୍ଷ ୬.୬୩ ପ୍ରତିଶତ ରହିଥିଲା ।