ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟା ମାମଲା : ବଳିଆର ରାଜ ସିଂହ ନିର୍ଦୋଷ ସାବ୍ୟସ୍ତ
ପଶ୍ଚମବଙ୍ଗର ବରିଷ୍ଠ ନେତା ତଥା ବର୍ତମାନର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀକ୍ତ ବ୍ୟକ୍ତିଗତ ସହାୟକ (ପିଏ) ଚନ୍ଦ୍ରନାଥ ରଥଙ୍କ ହତ୍ୟା ମାମଲାରେ ଏକ ବଡ଼ ଖୁଲାସା ହୋଇଛି ।
ଭୁଲ ବଶତଃ ଗିରଫ ହୋଇଥିବା ଉତରପ୍ରଦେଶ ବଳିଆର ବାସିନ୍ଦା ରାଜ ସିଂହଙ୍କୁ କୋର୍ଟରୁ ମୁକ୍ତି ମିଳିଛି । ସିବିଆଇ ତଦନ୍ତ ପରେ ସେ ନିର୍ଦୋଷ ବୋଲି ପ୍ରମାଣିତ ହୋଇଛନ୍ତି । ଜେଲରୁ ବାହାରିବା ପରେ ରାଜ ସିଂହ ସିବିଆଇକୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ ଯଦି ସିବିଆଇ ଏହି ମାମଲାର ତଦନ୍ତ କରି ନଥାଆନ୍ତା, ତେବେ ତାଙ୍କର କେବେ ବି ଏନକାଉଂଟର ହୋଇଯାଇଥାଆନ୍ତା ।
ଜଣାପଡ଼ିଛି ଯେ ମେ ୧୧ ତାରିଖରେ ଅଯୋଧ୍ୟାରୁ ପଶ୍ଚିମବଙ୍ଗ ପୁଲିସର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ରାଜ ସିଂହଙ୍କୁ ଗିରଫ କରିଥିଲା । ତେବେ ପରବର୍ତୀ ସମୟରେ ଏହି ହତ୍ୟା ମାମଲାର ତଦନ୍ତ ଭାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ହାତକୁ ଯାଇଥିଲା । ସିବିଆଇ ନିଜ ତଦନ୍ତରେ ଜାଣିବାକୁ ପାଇଥିଲା ଯେ ହତ୍ୟାକାଣ୍ଡ ଘଟିଥିବା ଦିନ ମେ ୬ ତାରିଖରେ ରାଜ ସିଂହ ଘଟଣାସ୍ଥଳରେ ଉପସ୍ଥିତ ନଥିଲେ । ଲୋକେ ପ୍ରଦାନ କରିଥିବା ସିସିଟିଭି ଫୁଟେଜ, ଗେଷ୍ଟ ହାଉସ ବିଲ ଏବଂ ଅନ୍ୟାନ୍ୟ ପ୍ରମାଣରୁ ସ୍ପଷ୍ଟ ହୋଇଥିଲା ଯେ ସେସମୟରେ ରାଜ ଉତରପ୍ରଦେଶରେ ଥିଲେ ।
ନାମରେ ସମାନତା ଥିବାରୁ ପଶ୍ଚିମବଙ୍ଗ ପୁଲିସ ଭୁଲ ବ୍ୟକ୍ତିଙ୍କୁ ଗିରଫ କରିଥିଲା ବୋଲି ସିବିଆଇ ବାରାସାତ କୋର୍ଟରେ ସ୍ୱୀକାର କରିଥିଲା । ପରେ କୋର୍ଟ ତାଙ୍କୁ ତୁରନ୍ତ ଖଲାସ କରିବାକୁ ନିର୍ଦେଶ ଦେଇଥିଲେ । ଅନ୍ୟପକ୍ଷରେ ନିର୍ଦୋଷ ରାଜ ସିଂହଙ୍କୁ ମୁକ୍ତ କରିବା ପରେ ସିବିଆଇ ପ୍ରକୃତ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି ।
ପ୍ରକୃତ ସାର୍ପସୁଟର ରାଜକୁମାର ସିଂହଙ୍କୁ ମୁଜାଫରନଗରରୁ ଗିରଫ କରାଯାଇଛି । ସେହିପରି ଅନ୍ୟତମ ଅଭିଯୁକ୍ତ ନବୀନ କୁମାର ସିଂହ ଓ ବିନୟ ରାୟ ମଧ୍ୟ ସିବିଆଇ ଜାଲରେ ପଡ଼ିଛନ୍ତି ।