ଅଦାଲତର ଅନୁମତି ବିନା ସାଂସଦଙ୍କ ବିରୋଧରେ କଡ଼ା ପଦକ୍ଷେପ ମନା
ଭୋଟ ପ୍ରଚାରରେ ବିବାଦୀୟ ମନ୍ତବ୍ୟ ପ୍ରଦାନ ଅଭିଯୋଗରେ ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବନେ୍ଦାପାଧ୍ୟାୟଙ୍କ ବିରୋଧରେ ଏଫଆଇଆର ଦାୟର ହୋଇଛି ।
ଏହି ଏଫଆଇଆର ଖାରଜ ପାଇଁ ଆବେଦନକୁ ଭିତିକରି କଲକାତା ହାଇକୋର୍ଟରେ ଡାଇମଣ୍ଡ ହାରବର ସାଂସଦ ଅଭିଷେକ ବନେ୍ଦାପାଧ୍ୟାୟ (ବାନାର୍ଜୀ) ମାମଲା କରିଛନ୍ତି । ଗୁରୁବାର ଏହି ମାମଲାର ଶୁଣାଣିରେ ବିଚାରପତି ସୌଗତ ଭଟ୍ଟାଚାର୍ଯ୍ୟ ସେହି ଆବେଦନକୁ ଖାରଜ କରିଛନ୍ତି ।
ବିଚାରପତି କହିଛନ୍ତି ଯେ ଅଦାଲତର ଅନୁମତି ବିନା ସାଂସଦଙ୍କ ବିରୋଧରେ କୌଣସି ପ୍ରକାର କଠୋର ପଦକ୍ଷେପ ଗ୍ରହଣ କରାଯାଇପାରିବ ନାହିଁ । ତାଙ୍କୁ ତଦନ୍ତରେ ସହଯୋଗିତା କରିବାକୁ ହେବ । ଯଦି ସେ ତଦନ୍ତ କାର୍ଯ୍ୟରେ ସହଯୋଗ ନ କରନ୍ତି ତେବେ ପୁଲିସ ସେସମ୍ପର୍କରେ ଅଦାଲତରେ ଜଣାଇପାରେ ।
ବିଚାରପତି ଆହୁରି କହିଛନ୍ତି ଯେ ଅଭିଷେକଙ୍କୁ ହେପାଜତରେ ନେଇ ପୁଲିସ ପଚରାଉଚରା କରିବାର କୌଣସି ପ୍ରୟୋଜନ ରହିଛି ବୋଲି ଅଦାଲତ ମନେ କରୁନାହିଁ । ତେବେ ଅଦାଲତର ଅନୁମତି ବିନା ଦେଶ ବାହାରେ ସାଂସଦ ଶ୍ରୀ ବାନାର୍ଜୀ ଯାଇପାରିବେ ନାହିଁ ।
ବିଚାରପତିଙ୍କ ମନ୍ତବ୍ୟ ଆଜି ଯଦି ତାଙ୍କ ଦଳ ରାଜ୍ୟ କ୍ଷମତାରେ ଆସିଥାଆନ୍ତା, ତାହେଲେ ତାଙ୍କର ଏହି ବକ୍ତବ୍ୟ ପରିପ୍ରେକ୍ଷୀରେ କେଉଁ ପରିସ୍ଥିତି ସୃଷ୍ଟି ହୋଇପାରିଥାଆନ୍ତା ବୋଲି ବୋଲି ଚିନ୍ତା କରିବା ଉଚିତ୍ । ତେଣୁ ତାଙ୍କ ତଦନ୍ତର ସମ୍ମୁଖୀନ ହେବାକୁ ପଡ଼ିବ ଏବଂ ତଦନ୍ତ କାର୍ଯ୍ୟରେ ସହଯୋଗ କରିବାକୁ ହେବ ।
ସୂଚନାଯୋଗ୍ୟ ଯେ ଗତ ମେ ୧୫ ତାରିଖରେ ବିଧାନନଗର ସାଇବର କ୍ରାଇମ ଥାନା ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଭିତିରେ ଡାଇମଣ୍ଡ ହାରବର ସାଂସଦ ଅଭିଷେକଙ୍କ ବିରୋଧରେ ଏଫଆଇଆର ଦାଏର କରିଥିଲେ । ମୂଳତଃ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଧମକ ଦେବା ଅଭିଯୋଗରେ ଅଭିଷେକଙ୍କ ବିରୋଧରେ ଏଫଆଇଆର କରାଯାଇଛି ବୋଲି କୁହାଯାଇଛି ।