୫୩ଡିଗ୍ରୀ ତାପମାତ୍ରା ନେଲା ଦୁଇ ଶିଶୁର ଜୀବନ!
ରାଜସ୍ଥାନର ଅଲୱରରେ ଅତି ହୃଦୟ ବିଦାରକ ଘଟଣା ଘଟିଛି । ଘର ପାଖରେ ଖେଳୁଥିବା ଦୁଇ ଭଉଣୀ ରାସ୍ତାକଡ଼ ଏକ ଗ୍ୟାରେଜ ନିକଟରେ ପାର୍କିଂ ହୋଇଥିବା ଏକ କାରରେ ଚଢ଼ି ଯାଇଥିଲେ ଏବଂ କାର ଡୋରଟିକୁ ବନ୍ଦ କରିଦେଇଥିଲେ ।
ପରେ ସେମାନେ ଗାଡ଼ିରୁ ଓହ୍ଲାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେମାନେ ଓହ୍ଲାଇ ପାରି ନଥିଲେ । ଅସହ୍ୟ ତାତିରେ ଛଟପଟ ହୋଇ ଦୁଇ ଭଉଣୀଙ୍କ ଜୀବନ ଚାଲିଯାଇଥିବା ଆଲୋଚନା ହୁଏ । ମୃତ ଦୁଇ ଭଉଣୀଙ୍କ ନାମ ଟିନା (୮) ଓ ଲକ୍ଷ୍ମୀ (୫)ବର୍ଷ । ବୈଶାଳୀ ନଗର ଥାନା ଅଧୀନସ୍ଥ ଖୁଦନପୁରୀ ଅଂଚଳରେ ଏହି ଘଟଣାଟି ଘଟିଛି ।
ଦୁଇ ଭଉଣୀ ଅନେକେ ସମୟ ପର୍ଯ୍ୟନ୍ତ ନ ମିଳିବାରୁ ଖୋଜାଖୋଜି କରାଯାଇଥିଲା । ଶେଷରେ ଏକ ପାର୍କିଂ ହୋଇଥିବା ଗାଡିରୁ ଦୁଇ ଭଉଣୀଙ୍କୁ ଅଚେତ ଅବସ୍ଥାରେ ବାହାର କରାଯାଇଥିଲା । କିନ୍ତୁ ସେତେବେଳେ ସେମାନଙ୍କର ମୃତ୍ୟୁ ଘଟି ସାରିଥିଲା । ସ୍ଥାନୀୟ ବାସିନ୍ଦାଙ୍କ ବକ୍ତବ୍ୟ ଅନୁସାରେ ଦୁଇ ଭଉଣୀ ବୁଧବାର ସକାଳେ ସେମାନଙ୍କ ଘର ନିକଟରେ ଖେଳୁଥିବାବେଳେ ବ୍ୟବହାର ହେଉନଥିବା ଏକ ଗାଡ଼ିରେ ଚଢ଼ି ଯାଇଥିଲେ । କାରଟି ଇଞ୍ଜିନ ଏବଂ ବ୍ୟାଟେରି ସମସ୍ୟା ପାଇଁ ପ୍ରାୟ ୧୦ଦିନ ହେବ ପାର୍କିଂ ଅବସ୍ଥାରେ ଥିଲା ।
ଡାକ୍ତର କହିଛନ୍ତି ଯେ କାର ମଧ୍ୟରେ ୫୩ଡିଗ୍ରୀ ଭଳି ତାପମାତ୍ରା ଥିଲା । ଯାହାଦ୍ୱାରା ପିଲା ଦୁଇଟି ବଂଚିବା ସମ୍ଭବ ହୋଇପାରି ନାହିଁ । ପରେ ପିଲାଦୁଇଟିକୁ ଗାଡ଼ିରୁ ବାହାର କରାଯିବା ପରେ ସେମାନଙ୍କ ଅବସ୍ଥା ଦେଖି ଅନେକେ ଚକିତ ହୋଇପଡ଼ିଥିଲେ । ଦେହ ସାରା କଳା ପଡ଼ି ଯାଇଥିଲା । ସତେ ଯେପରି ନିଆଁରେ ସେମାନେ ପୋଡ଼ି ହୋଇ ଯାଇଛନ୍ତି ।
ସଙ୍ଗେ ସଙ୍ଗେ ଉଦ୍ଧାର କରି ସେମାନଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲେ ସୁଦ୍ଧା ଡାକ୍ତର ସେ ଦୁହିଁଙ୍କୁ ମୃତ ବୋଲି କହିଥିଲେ । ପ୍ରାୟ ୩୦ମିନିଟ କାଳ ପିଲା ଦୁହେଁ ବନ୍ଦ କାର ମଧ୍ୟରେ ଫସି ଯାଇଥିଲେ ବୋଲି ପୁଲିସ କହିଛି । ପୁଲିସ ଓ ଡାକ୍ତରଙ୍କ ବକ୍ତବ୍ୟ ସାଧାରଣ ତାପମାତ୍ରା ଯେହେତୁ ୪୩ଡିଗ୍ରୀ ଥିଲା, ସେ ଦୃଷ୍ଟିରୁ ବନ୍ଦ କାର ମଧ୍ୟରେ ତାପମାତ୍ରା ୫୦ରୁ ୫୩ଡିଗ୍ରୀ ତାପମାତ୍ରା ରହିଥାଇପାରେ ବୋଲି ଅନୁମାନ କରାଯାଉଛି । ଯାହାଦ୍ୱାରା ସେଦୁହିଁଙ୍କ ପୋଡ଼ି ହୋଇ ମୃତ୍ୟୁ ଘଟିଛି ।
ତେବେ ଘଟଣା ପଛରେ ଅନ୍ୟ କୌଣସି ରହସ୍ୟ ଲୁଚି ରହିଛି କି ନାହିଁ ତାହା ନେଇ ପୁଲିସ ତଦନ୍ତ ଜାରି ରଖିଛି ।