ଦୁଇ ଭାରତୀୟ ପର୍ବତାରୋହୀଙ୍କ ମୃତ୍ୟୁ
ମାଉଂଟ ଏଭେରେଷ୍ଟ ସଫଳତାର ସହ ଆରୋହଣ ପରେ ଓହ୍ଲାଇବା ସମୟରେ ଦୁଇ ଭାରତୀୟ ପର୍ବାତରୋହୀଙ୍କ ମୃତ୍ୟୁ ଘଟିଛି ।
ନେପାଳ ପର୍ବତାରୋହଣ ସଂଘର ସୂଚନା ଅନୁଯାୟୀ, ଚିହ୍ନଟ ହୋଇଥିବା ମୃତ ପର୍ବତାରୋହୀ ହେଲେ ଅରୁଣ କୁମାର ତିୱାରୀ ଓ ସନ୍ଦୀପ ଆରେ । ସନ୍ଦୀପ ବୁଧବାର ଓ ଅରୁଣ ଗୁରୁବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ୮,୮୪୮.୮୬ମିଟର ଉଚ୍ଚତା ବିଶିଷ୍ଟ ଏହି ଶିଖରକୁ ସଫଳତାର ସହ ଛୁଇଁଥିଲେ ।
ମାତ୍ର ଫେରିବା ବେଳେ ଦୁହେଁ ଅତ୍ୟାଧିକ ଦୁର୍ବଳ ଏବଂ ଶାରୀରିକ ସମସ୍ୟାର ଶିକାର ହୋଇଥିଲେ । ଅଭିଜ୍ଞ ଶେରପା ଗାଇଡମାନେ ସେମାନଙ୍କୁ ସୁରକ୍ଷିତ ଭାବେ ତଳକୁ ଆଣିବା ପାଇଁ ଚେଷ୍ଟା କରିଥିଲେ । ସନ୍ଦୀପ ଆରେଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯିବାର ଦ୍ୱାରା ଗାଇଡମାନେ ତାଙ୍କୁ ରାତାରାତି ବାଲେକୋଠି ଅଂଚଳରୁ ସାଉଥ କଲକୁ ଉଦ୍ଧାର କରି ଆଣିଥିଲେ ହେଁ ଗୁରୁବାର ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ସେହିପରି ଦୁଇଜଣ ଶେରପା ଗାଇଡ଼ଙ୍କ ସହ ଫେରୁଥିବା ଅରୁଣ ତିୱାରୀ ସବୁଠାରୁ ବିପଜ୍ଜନକ ‘ହିଲାରୀ ଷ୍ଟେପ’ ନିକଟରେ ଅତ୍ୟଧିକ ଭାବେ ଅସୁସ୍ଥ ହୋଇ ପଡ଼ିଥିଲେ । ଯାହାଦ୍ୱାରା ତାଙ୍କୁ ମଧ୍ୟ ବଂଚାଇବା ସମ୍ଭବ ହୋଇପାରି ନଥିଲା ।
ଏହି ଦୁଇ ଭାରତୀୟଙ୍କ ମୃତ୍ୟୁ ପରେ ଚଳିତ ବସନ୍ତକାଳୀନ ପର୍ବତାରୋହଣ ସିଜନରେ ଏଭରେଷ୍ଟରେ ମୋଟ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଯେଉଁଥିରେ ଦୁଇ ଭାରତୀୟଙ୍କ ସହ ତିନିଜଣ ନେପାଳୀ ପର୍ବତାରୋହୀଙ୍କ ମୃତ୍ୟୁ ଘଟିଛି ।