ଗଞ୍ଜାମ ଦୁର୍ଘଟଣା : ମୃତକଙ୍କୁ ୪ଲକ୍ଷ ଟଙ୍କା ସହାୟତା ଘୋଷଣା
ଓଡ଼ିଶାର ଗଞ୍ଜାମ ସଡ଼କ ଦୁର୍ଘଟଣାରେ ୬ଜଣଙ୍କ ମୃତୁ୍ୟ ଘଟିଛି ।
ମୃତକଙ୍କ ପରିବାରକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪ଲକ୍ଷ ଟଙ୍କା ଲେଖାଁଏ ସହାୟତା ଘୋଷଣା କରିଛନ୍ତି ।
ସୂଚନାନୁସାରେ ବସ ଓ ଅଟୋ ମୁହାଁମୁହିଁ ହୋଇ ଧକ୍କା ଲାଗିବାଦ୍ୱାରା ଅଟୋରେ ବସିଥିବା ୧୦ଜଣଙ୍କ ମଧ୍ୟରୁ ୨ଜଣ ଶିଶୁଙ୍କ ସମେତ ୬ଜଣଙ୍କ ମୃତ୍ୟୁ ଘଟିଥିଲା ।
ପାଟପୁର ଥାନା ଅନ୍ତର୍ଗତ ଏରେଣ୍ଡ ଗ୍ରାମର ୧୦ଜଣ ମିଶି ପୁରୁଷୋତମପୁର ସିକୁଳା ରାସ୍ତା ଦେଇ ସିଂହାସନ ଯିବା ସମୟରେ ପୁରୁଷୋତମପୁର ଥାନା ଅନ୍ତର୍ଗତ ଲଡକା ପଲ୍ଲି ଗ୍ରାମ ନିକଟ ଏକ ବାଙ୍କ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବସ୍ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା । ଫଳରେ ଅଟୋଟି ଚୁରମାର ହୋଇଯାଇଥିଲା ଏବଂ ଅଟୋ ବସିଥିବା ସମସ୍ତ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ ।
ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆହତଙ୍କୁ କୋଡେଲ ମେଡ଼ିକାଲ ନିଆଯାଇଥିଲା, କିନ୍ତୁ ସେଠାରେ ୪ଜଣଙ୍କ ମୃତ୍ୟୁ ଘଟିଥିଲା ।
ମୃତକଙ୍କ ମଧ୍ୟରେ ଦୁଇଜଣ ଶିଶୁ ଥିଲେ । ପୁଲିସ ଏସଡିପିଓ ସୁଜିତ କୁମାର ନାୟକ ଘଟଣାସ୍ଥଳରେ ପହଂଚି ପରିସ୍ଥିତିକୁ ସ୍ୱାଭାବିକ କରିବା ସହ ତଦନ୍ତ ଆରମ୍ଭ କରିଛି ।