ସରକାରୀ ଗାଡ଼ି ବ୍ୟବହାରରେ ଅଙ୍କୁଶ
ଏକାନ୍ତ ଜରୁରୀ ନଥିଲେ ବିଭିନ୍ନ ବୈଠକରେ ସରକାରୀ ଅଧିକାରୀମାନେ ବ୍ୟକ୍ତିଗତ ଭାବେ ଯୋନ ନ ଦେଇ ଦୃଶୃସଂଚାରୀ ମାଧ୍ୟମରେ ସାମିଲ ହେବେ ।
ଆସନ୍ତା ଜୁନ ପହିଲାରୁ ସମସ୍ତ ସରକାରୀ ବିଭାଗ ପାଇଁ ଇଭି କିଣା ବାଧ୍ୟତାମୂଳକ ହେବ । କେବଳ ବିଶେଷ ଆବଶ୍ୟକତା ଭିତିରେ ପେଟ୍ରୋଲ/ଡିଜେଲ ଚାଳିତ ଯାନ କ୍ରୟ ପାଇଁ ଅନୁମତି ମିଳିବ । ସରକାରୀ ଗାଡି ବ୍ୟବହାର ପାଇଁ ସରକାର ଦେଉଥିବା ଅର୍ଥ ହ୍ରାସ କରାଯିବ ।
ଦେଶରେ ପେଟ୍ରୋଲ, ଡିଜେଲ ଖର୍ଚ କାଟ ପାଇଁ ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରିପ୍ରେକ୍ଷୀରେ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ସରକାରୀ ବିଭାଗ ପାଇଁ ଏଭଳି ନିର୍ଦେଶନାମା ଜାରି କରିଛନ୍ତି । ସରକାରୀ ବିଭାଗଗୁଡ଼ିକରେ ପେଟ୍ରୋଲ ଓ ଡିଜେଲ ବ୍ୟବହାର ହ୍ରାସ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି ।
ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶାନୁସାରେ ବ୍ୟକ୍ତିଗତ ବ୍ୟବହାର ପାଇଁ ସରକାରୀ ଗାଡ଼ି ପାଇଥିବା ବରିଷ୍ଠ ଅଧିକାରୀମାନେ କେବଳ ଯିବା ଆସିବା ନିମନ୍ତେ ଗୋଟିଏ ଗାଡ଼ି ବ୍ୟବହାର କରିବେ । ସେହିପରି ସରକାରୀ ଯାନ ବ୍ୟବହାର ପାଇଁ ରାଶିର ପରିମାଣ ମଧ୍ୟ ତଦନୁଯାୟୀ ହ୍ରାସ କରାଯିବ ।
ଦୂରସ୍ଥାନକୁ ପରିଦର୍ଶନରେ ଗଲାବେଳେ ଅଧିକାରୀ ଓ କର୍ମଚାରୀମାନେ ବସ୍ କିମ୍ବା ରେଳ ଯାତ୍ରା ଉପରେ ଗୁରୁତ୍ୱ ଦେବାକୁ ହେବ । ଏ ସମ୍ପର୍କରେ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ଅର୍ଥ ବିଭାଗକୁ କୁହାଯାଇଛି । ସରକାରୀ ଗାଡ଼ିର ଚଳପ୍ରଚଳ ବାବଦକୁ ମାସିକ ପେଟ୍ରୋଲ ଓ ଡିଜେଲ ବ୍ୟବହାର ପରିମାଣ ଯେପରି ଅତି କମରେ ୧୦ ପ୍ରତିଶତ କମିବ, ସେ ଦିଗରେ ସମସ୍ତ କାର୍ଯ୍ୟାଳୟ ସୁଚିନ୍ତିତ ପଦକ୍ଷେପ ନେବେ ।
ଏହି ନିର୍ଦେଶାବଳୀ ରାଜ୍ୟ ସଚିବାଳୟଠାରୁ ଆରମ୍ଭ କରି ସମସ୍ତ ସରକାରୀ ବିଭାଗର ଉପଖଣ୍ଡ, ତହସିଲ, ବ୍ଲକସ୍ତର ସହିତ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଉଦ୍ୟୋଗ, ସଂସ୍ଥା, ବିଶ୍ୱବିଦ୍ୟାଳୟ, ସମିତିଗୁଡ଼ିକରେ ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିବା ଜଣାପଡ଼ିଛି ।