ଟ୍ରେନ ବଗି ଛାତରେ ଚଢ଼ି ଜଳିଗଲେ ଛାତ୍ର
ବିପଦପୂର୍ଣ୍ଣ ସ୍ଥାନରେ ରିଲସ କରିବା ଓ ସେଲଫି ଉଠାଇବା ନିଶା ସଂପ୍ରତି ଯୁବକଯୁବତୀଙ୍କ ଏକ ନିଶା ହୋଇଛି ।
ଏହି କ୍ଷେତ୍ରରେ ସଚେତନତା ସୃଷ୍ଟି କରାଯାଉଥିଲେ ସୁଦ୍ଧା ବିଶେଷ କିଛି ସୁଧାର ଆସିପାରୁ ନାହିଁ । ତେବେ ଏଭଳି କରିବାକୁ ଯାଇ ବିଭିନ୍ନ କ୍ଷେତ୍ରରେ ଛୋଟବଡ଼ ଦୁର୍ଘଟଣାମାନ ଘଟୁଥିବା ପରିଲକ୍ଷିତ ହେଉଛି । ଏଭଳି ଏକ ଘଟଣା ଭୁବନେଶ୍ୱର ମଂଚେଶ୍ୱର ରେଳ ଷ୍ଟେସନରେ ଦେଖିବାକୁ ମିଳିଛି ।
ରାଜସ୍ତାନର ଜଣେ ଛାତ୍ର ରାମେଶ୍ୱର ଦୋଶୋରା (୧୦ବର୍ଷ) ଏକ ଟ୍ରେନ ଛାତରେ ଚଢ଼ି ରିଲସ କରୁଥିବା ସମୟରେ ହାଇ ଭୋଲଟେଜ ବିଦ୍ୟୁତ ଲାଇନରେ ସ୍ପର୍ଶ ହୋଇ ଗୁରୁତର ହୋଇପଡ଼ିଛନ୍ତି । ବିଦ୍ୟୁତ ଝଟକାରେ ସେ ତଳକୁ ଖସି ଯିବାଦ୍ୱାରା ଅଳ୍ପକେ ଜୀବନରୁ ରକ୍ଷା ପାଇ ଯାଇଛନ୍ତି । ଛାତ୍ରଜଣକ ଭୁବନେଶ୍ୱର ଏମସରେ ସଂକଟାପନ୍ନ ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି ।
ଜଣାପଡ଼ିଛି ଯେ ସେ ଇନଫୋସିଟି ଛକସ୍ଥିତ କେନ୍ଦ୍ର ସରକାରଙ୍କ ଧନ୍ଦାମୂଳକ ଶିକ୍ଷାକେନ୍ଦ୍ର (ସିଟିଟିସି)ରେ ପ୍ରଶିକ୍ଷଣ ନେଉଛନ୍ତି । ଖରାଦିନ ଛୁଟି ପଡ଼ିବାରୁ ଆଜି ସେ ଜଣେ ସାଙ୍ଗ ସହିତ ନିଜ ଘରକୁ ରାଜସ୍ଥାନ ଯାଉଥିଲେ । ମଂଚେଶ୍ୱର ଷ୍ଟେସନରୁ ସେମାନେ ଟ୍ରେନ ଧରିବାର ଥିଲା ।
ଘରକୁ ଫେରିବା ଖୁସିରେ ସେମାନେ ରିଲ୍ସ ତିଆରି କରୁଥିଲେ । ଏହି ନିଶାରେ ଟ୍ରେନର ଛାତ୍ର ଉପରକୁ ଜଣେ ଛାତ୍ର ଚଢ଼ି ଯାଇଥିଲେ, କିନ୍ତୁ ଭାଗ୍ୟବଶତଃ ସେ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ ସୁଦ୍ଧା ଅଳ୍ପକେ ରକ୍ଷା ପାଇଯାଇଥିବା ଜଣାପଡ଼ିଛି ।