କେନ୍ଦୁଝର ଜିଲାରେ ଅଂଶୁଘାତ ମୃତ୍ୟୁ
ସମଗ୍ର ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଯାହାଦ୍ୱାରା ସାଧାରଣ ଜୀବନଯାପନ ଦୁଃସହ ହୋଇପଡ଼ିଛି ।
ଏହି ସମୟରେ କେନ୍ଦୁଝର ଜିଲାରେ ଜଣେ ଯୁବକଙ୍କ ଅଂଶୁଘାତ ଜନିତ ମୃତୁ୍ୟ ଘଟିଥିବା ଅଭିଯୋଗ ହୋଇଛି । ପାଟଣା ଥାନା ଅଂଚଳ ସାହାରାପଡ଼ା ବ୍ଲକ ତେଣ୍ଡରା ପଂଚାୟତ ନୂଆଗାଁ ଗ୍ରାମର ରାମଚନ୍ଦ୍ର ଦେହୁରିଙ୍କ ଶ୍ରମଜୀବୀ ପୁଅ ବୁଦ୍ଧୁ ଦେହୁରି (୩୫)ଙ୍କ ମୃତ୍ୟୁ ଘଟିଛି ।
ସେ ଗତକାଲି କାମକୁ ଯାଇ ଅପରାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ ବରବେଡ଼ାରୁ ଘରକୁ ଫେରୁଥିଲେ । ବରବେଡା-ନୂଆଗାଁ ରାସ୍ତାର କାଜୁ ଜଙ୍ଗଲ ନିକଟରେ ତାଙ୍କ ମୁଣ୍ଡ ବୁଲେଇବାରୁ ସେ ରାସ୍ତା ତଳ ଖାଲକୁ ଖସି ପଡ଼ିଥିଲେ । ସ୍ଥାନୀୟ ଲୋକେ ଦେଖି ପାଟଣା ପୁଲିସକୁ ଖବର ଦେଇଥିଲେ ।
ପାଟଣା ଥାନା ଏଏସଆଇ ଗୌରହରି ଗରଡ଼ିଆ ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ପାଟଣା ଡାକ୍ତରଖାନାରେ ଭର୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଆଜି ପାଟଣା ଥାନା ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।
ମୂଳ ପାଟଣା ଥାନା ଏଏସଆଇ ଧନେଶ୍ୱର ପାତ୍ରଙ୍କ ଉପସ୍ଥିତିରେ ମୃତକଙ୍କ ଶବ ବ୍ୟବଚ୍ଛେଦ କରାାଇଛି । ପ୍ରାଥମିକ ରିପୋର୍ଟରୁ ଏହା ଅଂଶଘାତଜନିତ ମୃତ୍ୟୁ ବୋଲି ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଅଧିକାର ଡା. ଶୁଭେନ୍ଦୁ ସାଗର କୁମାର ନାଏକଙ୍କ ସୂତ୍ରରୁ ଜଣାପଡ଼ିଛି ।