ପ୍ରକାଶ ପାଇଲା ଓପିଏସସି-ଓସିଏସ-୨୦୨୪ ପରୀକ୍ଷା ଫଳ
ମଙ୍ଗଳବାର ଓଡ଼ିଶା ଲୋକସେବା ଆୟୋଗ (ଓଡ଼ିଶା ପବ୍ଲିକ ସର୍ଭିସ କମିସନ)ଦ୍ୱାରା ଅନୁଷ୍ଠିତ ଓଡ଼ିଶା ଲୋକସେବା ପରୀକ୍ଷା (ଓସିଏସ)୨୦୨୪ର ଫଳ ପ୍ରକାଶ ପାଇଛି ।
ଏହି ପରୀକ୍ଷାରେ ଦୁଇଶହ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ ୭୦ଜଣ ସାଧାରଣ ବର୍ଗ, ୩୫ଜଣ ସାମାଜିକ ଓ ଅର୍ଥନୈତିକ ପଛୁଆ ବର୍ଗ (ଏସଇବିସି), ୪୫ଜଣ ଅନୁସୂଚିତ ଜାତି (ଏସସି) ଓ ୫୦ଜଣ ଅନୁସୂଚିତ ଜନଜାତି (ଏସଟି) ଅଛନ୍ତି ।
ଏହି ପରୀକ୍ଷାରେ ଏସଇବିସିର ବୁବୁନ ସାହୁ ସାଧାରଣ ବର୍ଗରେ ଚୟନ ହୋଇଥିବାବେଳେ ତାଲିକାରେ ସର୍ବାଗ୍ରେ ଅଛନ୍ତି । ସାଧାରର ବର୍ଗରେ ଚୟନ ହୋଇଥିବା ଶୋଭନା ମହାନ୍ତି ଦ୍ୱିତୀୟ ସ୍ଥାନରେ ଅଛନ୍ତି । ପ୍ରଥମ ୧୦ଜଣଙ୍କ ତାଲିକାରେ ଥିବା ଅନ୍ୟମାନେ ହେଲେ ଜିତମିତ୍ର ସାହୁ (ଏସଇବିସି-ସାଧାରଣବର୍ଗ), କନକ ଜୈନ (ସାଧାରଣ ବର୍ଗ), ସଂଗ୍ରାମ ପ୍ରଧାନ (ସାଧାରଣ ବର୍ଗ), ଅମତନ ଗୋଏଲ (ଏସଇବିସି-ସାଧାରଣ ବର୍ଗ), ଶାନ୍ତନୁ କୁମାର ଶତପଥୀ (ସାଧାରଣ ବର୍ଗ), ନୀତିଶ କୁମାର ବାରିକ (ଏସସି-ସାଧାରଣ ବର୍ଗ), ଶୀତଳ ପାତ୍ର (ସାଧାରଣ ବର୍ଗ), ଇତିଶ୍ରୀ ଜେନା (ଏସଇବିସି-ମହିଳା) ।
ତେବେ ଉତୀର୍ଣ୍ଣ ହୋଇଥିବା ପରୀକ୍ଷାର୍ଥୀମାନଙ୍କୁ ଏହି ପରୀକ୍ଷାଫଳ ଅନୁଯାୟୀ ନିଯୁକ୍ତି ଦିଆଯିବ ନାହିଁ । ପରୀକ୍ଷାର୍ଥୀଙ୍କ ଦାଖଲ ହୋଇଥିବା ଯୋଗ୍ୟତା, ସଂରକ୍ଷଣ ବିଭାଗ ସମ୍ପର୍କିତ ସତ୍ୟପାଠ ଓ ପ୍ରମାଣପତ୍ରର ଯାଂଚ ଓ ସ୍ୱାସ୍ଥ୍ୟ ପରୀକ୍ଷଣ ପରେ ଚୟନ କମିଟି ଦ୍ୱାରା ନିଯୁକ୍ତି ଚୂଡ଼ାନ୍ତ ହେବ ବୋଲି ଓପିଏସସି ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ସୂଚନାଯୋଗ୍ୟ ରାଜ୍ୟ ସରକାର ଅନୁମୋଦନ କରିଥିବା ୭୮ଟି ମହିଳାଙ୍କ ସମେତ ୨୦୦ଟି ପଦ ନିମନ୍ତେ ୩୩ହଜାର ୬୩୦ଜଣ ମହିଳାଙ୍କ ସମେତ ମୋଟ ୮୫ହଜାର ୨୨୩ଜଣ ପରୀକ୍ଷାର୍ଥୀ ଆବେଦନ କରିଥିଲେ । ଅକ୍ଟୋବର ୧୨, ୨୦୨୫ରେ ହୋଇଥିବା ପ୍ରାରମ୍ଭିକ ପରୀକ୍ଷାରେ ୧୩ହଜାର ୯୮୫ଜଣ ମହିଳା ପ୍ରାର୍ଥୀଙ୍କ ସମେତ ୩୫ହଜାର ୧୬୫ଜଣ ପରୀକ୍ଷା ଦେଇଥିଲେ । ମୁଖ୍ୟ (ଲିଖିତ) ପରୀକ୍ଷା ଚଳିତବର୍ଷ ଜାନୁଆରୀ ୩୧ରୁ ଫେବୃଆରୀ ୧୦ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।
ଏଥିରେ ୭୦୭ଜଣ ମହିଳା ପ୍ରାର୍ଥୀଙ୍କ ସମେତ ୨୦୫୮ଜଣ ପରୀକ୍ଷା ଦେଇଥିଲେ । ଏହାମ ଧ୍ୟରୁ ୧୫୫ଜଣ ମହିଳାଙ୍କ ସମେତ ୩୮୫ଜଣଙ୍କୁ ମେ ୧୪, ୨୦୨୬ରୁ ମେ ୨୦, ୨୦୨୬ ମଧ୍ୟରେ ଦସ୍ତାବିଜ ଯାଂଚ ଓ ସାକ୍ଷାତକାର ପରୀକ୍ଷା ନିମନ୍ତେ ଡକାଯାଇଥିଲା ।