୨୨% ଘରୋଇ ଉଡାଣ ବାତିଲ କଲା ଏୟାର ଇଣ୍ଡିଆ
ଟାଟା ଗ୍ରୁପ ଅଧୀନରେ ପରିଚାଳିତ ଏୟାର ଇଣ୍ଡିଆ ଘରୋଇ ରୁଟରେ ୨୨% ଉଡାଣ ବାତିଲ କରିଛି ।
ଆସନ୍ତା ଜୁନରୁ ଅଗଷ୍ଟ ମଧ୍ୟରେ କମ୍ପାନୀର ଉଡାଣ ହ୍ରାସ ପାଇବ । ଇନ୍ଧନ ଦର ଓ ପରିଚାଳନା ଖର୍ଚ ବଢ଼ୁଥିବାରୁ କେତେକ ରୁଟରେ ଉଡାଣ ହ୍ରାସ କରିବାକୁ କମ୍ପାନୀ ନିଷ୍ପତି ନେଇଛି ।
ପୂର୍ବରୁ କମ୍ପାନୀ ଅନ୍ତର୍ଜାତୀୟ ରୁଟରେ ୨୭% ଉଡାଣ ବାତିଲ କରିଥିଲା । ଉଡାଣ ବାତିଲଦ୍ୱାରା ପ୍ରଭାବିତ ହେବାକୁ ଥିବା ଯାତ୍ରୀମାନଙ୍କୁ କମ୍ପାନୀ ବିକଳ୍ପ ସୁବିଧା ଯୋଗାଇଦେବ ।
ଏହା ଚାହିଦା ଓ ପରିଚାଳନା ଖର୍ଚ ଉପରେ ନଜର ରଖି ପରବର୍ତୀ ସମୟରେ ଉଡାଣ ବଢ଼ାଇବା ସମ୍ପର୍କରେ ନିଷ୍ପତି ନେବ । ପ୍ରତି ସପ୍ତାହରେ ଏୟାର ଇଣ୍ଡିଆ ହାରାହାରି ୪୦୦ ଉଡାଣ କରିଥାଏ ।
ସେଥିରୁ ୩୬୦୦ ଉଡାଣ ଦେଶ ମଧ୍ୟରେ ଓ ୮୦୦ ଉଡାଣ ଅନ୍ତର୍ଜାତୀୟ ସ୍ତରରେ ହୋଇଥାଏ । ମୂଳତଃ ଇନ୍ଧନ ଦୂରବୃଦ୍ଧି ପାଇଁ କମ୍ପାନୀ ଉଭୟ ଦେଶ ଓ ବିଦେଶ ରୁଟରେ ଉଡାଣ କମ କରିବାକୁ ନିଷ୍ପତି ନେଇଛି ।