ମଣିପୁରରୁ ୫ ଉଗ୍ରବାଦୀ ଗିରଫ
ମଣିପୁରରେ ସୁରକ୍ଷା ବାହିନୀ ପୃଥକ ପୃଥକ ଅପରେସନରେ ଜଣେ ନାବାଳକଙ୍କ ସମେତ ବହୁ ନିଷିଦ୍ଦ ସଂଗଠନର ୫ଜଣ ଉଗ୍ରବାଦୀଙ୍କୁ ଗିରଫ କରାଯାଇଛି ।
ସୁରକ୍ଷାକର୍ମୀ ଚୁରାଚାନ୍ଦପୁର ଓ ଉଖରୁଲ ଜିଲାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଓ ବିସ୍ଫୋରକ ସାମଗ୍ରୀ ଜବତ କରିଥିବା ବୁଧବାର ଅଧିକାରୀମାନେ କହିଛନ୍ତି । ଥୌବାଲ ଜିଲାର ନୋଙ୍ଗପୋକ ସେକମାଇ ପୁଲିସ େ୍େଟସନ ଅନ୍ତର୍ଗତ ଫରେଷ୍ଟ ଗେଟ ନିକଟ ମାୟାଇ ଲେଇକାଇ କୈଥେଲରେ କରାଯାଇଥିବା ଏକ ଅଭିଯାନ ସମୟରେ ସୁରକ୍ଷା ବାହିନୀ ନିଷିଦ୍ଧ ରିଭୋଲ୍ୟୁସନାରୀ ପିପୁଲ୍ସ ଫ୍ରନଟ / ପିପୁଲ୍ସ ଲିବରେସନ ଆର୍ମି ଓ ନ୍ୟାସନାଲ ରିଭୋଲ୍ୟୁସନାରୀ ଫ୍ରନଟ ଅଫ ମଣିପୁର (ଏନଆରଏଫଏମ) ସହିତ ଜଡ଼ିତ ଦୁଇ ଜଣ ଉଗ୍ରବାଦୀଙ୍କୁ ଗିରଫ କରିଛି ।
ମଙ୍ଗଳବାର ଅନ୍ୟ ଏକ ଅଭିଯାନରେ ସୁରକ୍ଷା ବାହିନୀ ବିଭିନ୍ନ ସ୍ଥାନରୁ ଆରପିଏଫ / ପିଏଲଏ ସହିତ ଜଡ଼ିତ ଅନ୍ୟ ତିନିଜଣ କ୍ୟାଡର ଓ ନିଷିଦ୍ଦ ପିପୁଲ୍ସ ରିଭୋଲ୍ୟୁସନାରୀ ପାର୍ଟି ଅଫ କାଙ୍ଗଲେଇପାକର ଜଣେ କ୍ୟାଡରଙ୍କୁ ଗିରଫ କରିଛି ।
ଅନ୍ୟପକ୍ଷରେ ମଙ୍ଗଳବାର ଚୁରାଚାନ୍ଦପୁରର ହେଙ୍ଗକୋଟ ଗାଁରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଜବତ କରାଯାଇଛି ।
ଜବତ ଅସ୍ତ୍ରଶସ୍ତ୍ରରେ ମାଗାଜିନ ସହିତ ଏମକେ-୨ ରାଇଫଲ, ଏକେ-୪୭ ରାଇଫଲ, ଦେଶୀ ରାଇଫଲ, ଆଇଇଡି, ଏକ ଦେଶୀ ତିଆରି ଲାଥୋଡ ଲଂଚର ଜବତ ହୋଇଛି । ଉଖରୁଲ ଜିଲାର ଲିଟାନ ପୁଲିସ ଷ୍ଟେସନ ଅଧିନରେ କରାଯାଇଥିବା ଅନ୍ୟ ଏକ ଅଭିଯାନରେ ସୁରକ୍ଷା ବାହିନୀ ପାଟଲେଇଜାଙ୍ଗ ଗ୍ରାମରେ ଗୋଟିଏ ଅବୈଧ ବଙ୍କର ଓ ରାଉଡେଇ (ଟିଏମ କାସୋମ) ଗ୍ରାମରେ ଦୁଇଟି ଅବୈଧ ବଙ୍କରକୁ ନଷ୍ଟ କରିଛନ୍ତି ।
ସୁରକ୍ଷାକର୍ମୀମାନେ ଅପରେସନ ସମୟରେ ପ୍ରାୟ ୫ କିଲୋଗ୍ରାମ ଓଜନର ଏକ ଆଇଇଡି ଓ ଦୁଇଟି ପମ୍ପିଂ ବନ୍ଧୁକ ମଧ୍ୟ ଜବତ କରିଥିବା ଜଣାପଡ଼ିଛି ।