ଖାଇବା ତେଲର ଅନିୟମିତ ପ୍ୟାକେଜିଂ ବନ୍ଦ ହେବ
ଖାଇବା ତେଲ ପ୍ୟାକେଟରେ ରହୁଥିବା ଅସଂଗତିକୁ ନେଇ ଅସନ୍ତୋଷ ବଢ଼ିବାରୁ କେନ୍ଦ୍ର ସରକାର ଏହି ବ୍ୟବସ୍ଥା ଉପରେ ରୋକ ଲଗାଇବା ବିଷୟରେ ବିଚାର କରୁଛନ୍ତି । ପୁଣି ଥରେ ସମସ୍ତ କମ୍ପାନୀ ପାଇଁ ନିର୍ଦ୍ଦିଷ୍ଟ ଓଜନର ମାନକ ଲାଗୁ କରାଯିବ । ବର୍ତମାନ ବଜାରରେ ବିକ୍ରି ହେଉଥିବା ଅଧିକାଂଶ ଖାଇବା ତେଲ ପ୍ୟାକେଟ ସମାନ ଦେଖାଯାଉଥିଲେ ମଧ୍ୟ ସେଥିରେ ଅସମାନ ତେଲ ରହୁଛି ।
ଏକା ଦେଖାଯାଉଥିବା ପ୍ୟାକେଟଗୁଡ଼ିକରେ ୬୫୦ଗ୍ରାମ, ୭୦୦ଗ୍ରାମ, ୮୧୦ଗ୍ରାମ ଓ ୮୭୦ଗ୍ରାମ ଭଳି ଭିନ୍ନ ଭିନ୍ନ ଓଜନର ତେଲ ରହୁଛି । ତେଣୁ ଗ୍ରାହକମାନେ ପ୍ରକୃତରେ କେତେ ତେଲ ପାଇଁ କେତେ ଟଙ୍କା ଦେଉଛନ୍ତି ତାହା ସଠିକ ଭାବେ ଜାଣିପାରୁ ନାହାନ୍ତି ।
ଅନେକ ସମୟରେ କମ ଟଙ୍କା ଭାବି ଯେଉଁ ପ୍ୟାକେଟ କ୍ରୟ କରୁଛନ୍ତି ସେଥିରେ କମ ତେଲ ମଧ୍ୟ ପାଉଛନ୍ତି, ଯାହାକି ସେମାନେ ଜାଣିପାରୁ ନାହାନ୍ତି । ତେଣୁ ଏ ସମ୍ପର୍କରେ ତୈଳ କମ୍ପାଗୁଡ଼ିକ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦିଷ୍ଟ ମାନକ ଲାଗୁ କରିବା ବିଷୟ ବିଚାର କରାଯାଉଛି ।
ଏହାର ଅର୍ଥ ଯେ ସବୁ କମ୍ପାନୀ ୨୦୦ ମିଲିଲିଟର, ୫୦୦ ମିଲିଲିଟର, ୧ ଲିଟର, ୨ ଲିଟର, ୩ ଲିଟର, ୪ ଲିଟର, ୫ ଲିଟର, ୧୫ ଲିଟର ଓ ୨୦ ଲିଟର ପ୍ୟାକେଟରେ ଖାଇବା ତେଲ ବିକ୍ରି କରିବେ । ଅନ୍ୟ କୌଣସି ଓଜନର ତେଲ ବିକ୍ରି ହେବ ନାହିଁ । ଫଳରେ ସମସ୍ତ କମ୍ପାନୀର ନିର୍ଦ୍ଦିଷ୍ଟ ଲିଟର ବିଶିଷ୍ଟ ପ୍ୟାକ ସମାନ ଦେଖାଯିବ ।
ଜଣାପଡ଼ିଛି ଯେ ତେଲ ପ୍ୟାକେଟରେ ଅସଂଗତିକୁ ନେଇ ଚଳିତ ମାସରେ ଭାରତୀୟ ସୋୟାବିନ ପ୍ରୋସେସର ସଂଘ କେନ୍ଦ୍ର ଉପଭୋକ୍ତା ବ୍ୟାପାର ବିଭାଗକୁ ଚିଠି ଲେଖିଥିଲା ।
ପୂର୍ବରୁ ଖାଇବା ତେଲ ପ୍ୟାକର ନିର୍ଦ୍ଦିଷ୍ଟ ମାନକ ଥିଲା । ୨୦୨୩ ଜାନୁଆରୀ ୧ରେ ତାହାକୁ କୋହଳ କରାଯିବା ପରେ କମ୍ପାନୀଗୁଡ଼ିକ ମନମୁତାବକ ଓଜନର ପ୍ୟାକ ଆଣିଥିଲା । ଯାହାଦ୍ୱାରା ସାଧାରଣ ଗ୍ରାହକ ଅଡ଼ୁଆ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ।
ସେହି ସମସ୍ୟାକୁ ଦୂରେଇବା ପାଇଁ ଏଭଳି ସିଦ୍ଧାନ୍ତ ଗ୍ରହଣ କରାଯାଇଥିବା ଜଣାପଡ଼ିଛି ।