ହୀରାକୁଦ ବନ୍ଧରୁ ବନ୍ୟାଜଳ ନିଷ୍କାସନ ପ୍ରସଙ୍ଗ : ସତର୍କ କରାଇଲା ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ
ସାଧାରଣତଃ ବର୍ଷା ଋତୁରେ ପ୍ରବଳ ବର୍ଷା ହେବା କାରଣରୁ ଜଳ ଭଣ୍ଡାରରେ ପ୍ରଚୁର ପରିମାଣର ବର୍ଷାପାଣି ପ୍ରବେଶ କରେ, ଯାହାଦ୍ୱାରା ବନ୍ୟାଜଳ ନିଷ୍କାସନ ପ୍ରତି ଗୁରୁତ୍ୱ ଦିଆଯାଇଥାଏ । ତେବେ ଚଳିତବର୍ଷ ବର୍ଷା ନ ପଡ଼ିବା ପୂର୍ବରୁ ହୀରାକୁଦ ଜଳଭଣ୍ଡାରର ମୁଖ୍ୟଯନ୍ତ୍ରୀ ବର୍ଷା ଜଳ ନିଷ୍କାସନ ନେଇ ସାଧାରଣଙ୍କୁ ସତର୍କ କରାଇଥିବା ପରିଲକ୍ଷିତ ହୋଇଛି ।
ହୀରାକୁଦ ବନ୍ଧ କର୍ତୃପକ୍ଷଙ୍କ ପକ୍ଷରୁ ଜାରି କରାଯାଇଥିବା ପତ୍ରରେ ଦର୍ଶାଯାଇଛି ଯେ ଚଳିତ ବର୍ଷା ଋତୁରେ ଯେକୌଣସି ସମୟରେ ବନ୍ୟାଜଳ ନିଷ୍କାସନ କରାଯାଇପାରେ । ତେଣୁ ଏହାକୁ ନଜରରେ ରଖି ମହାନଦୀ ନଦୀ ଶଯ୍ୟାରେ ଚଳାଚଳ କିମ୍ବା ଅନ୍ୟ କାର୍ଯ୍ୟ କରୁଥିବା ସାଧାରଣଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି ।
ବନ୍ୟାଜଳ ଛଡ଼ାଯିବା ପୂର୍ବରୁ ବନ୍ଧର ବାମ ସ୍କିଲୱେ ନିକଟରେ ବିଶେଷ ଧରଣର ସାଇରନ ବଜାଯିବ । ଏହି ସାଇରନ ପ୍ରଥମେ ଦୁଇ ମିନିଟ ଧରି ଲଗାତର ବାଜିବ ଓ ପରେ ୨୦ ସେକେଣ୍ଡ ବ୍ୟବଧାନରେ ୩୦ ସେକେଣ୍ଡ କରି ବାଜିବ । ଏହି ପ୍ରକ୍ରିୟା ପୁନରାବୃତି ହେବ ।
ସୂଚନା ଅନୁସାରେ ପ୍ରକୃତରେ ଗେଟ (ଫାଟକ) ଖୋଲାଯିବାର ପ୍ରାୟ ଦୁଇ ଘଂଟା ପୂର୍ବରୁ ଏହି ସାଇରନ ବାଜିବା ଆରମ୍ଭ ହେବ । ଯାହାକି ସାଧାରଣ ସାଇରନଠୁ ସ୍ୱତନ୍ତ୍ର ଧରଣର ହେବ ବୋଲି ଦର୍ଶାଯାଇଛି ।