‘ସିଜେପି’କୁ ଶକ୍ତ ଧକ୍କା
ଆକାଉଂଟ ପୁନଃକାର୍ଯ୍ୟକ୍ଷମ ପାଇଁ ମନା କଲେ ଦିଲ୍ଲୀ ହାଇକୋର୍ଟ
ସାମାଜିକ ଗଣମାଧ୍ୟମର ଦ୍ରୁତ ଜନପ୍ରିୟତା ହାସଲ କରିଥିବା ବ୍ୟଙ୍ଗାତ୍ମକ ରାଜନୈତିକ ସଂଗଠନ ‘କକ୍ରୋଚ ଜନତା ପାର୍ଟି’ (ସିଜେପି)କୁ ଆଇନଗତ ମୋର୍ଚାରେ ଏକ ବଡ଼ ଧକ୍କା ଲାଗିଛି ।
ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ‘ଏକ୍ସ’ରେ ଦଳର ସ୍ଥଗିତ ହୋଇଥିବା ଆକାଉଂଟକୁ ତୁରନ୍ତ ପୁନଃକାର୍ଯ୍ୟକ୍ଷମ କରିବା ପାଇଁ ହୋଇଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ପ୍ରତ୍ୟାଖ୍ୟାନ କରିଛନ୍ତି । ଜଷ୍ଟିସ ପୁରୁଷେନ୍ଦ୍ର କୁମାର କୌରବଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ସ୍ପଷ୍ଟ କରିଛନ୍ତି ଯେ ସଂପୃକ୍ତ ଆକାଉଂଟରୁ ପୋଷ୍ଟ କରାଯାଇଥିବା କେତେକ ବିଷୟବସ୍ତୁ ପ୍ରାଥମିକ ଦୃଷ୍ଟିରୁ ‘ଆପତିଜନକ’ ମନେହେଉଛି ।
ଏଭଳି ପରିସ୍ଥିତିରେ କୌଣସି ତୁରନ୍ତ କିମ୍ବା ଅନ୍ତରୀଣ ନିର୍ଦେଶ ଜାରି କରାଯାଇପାରିବ ନାହିଁ । ଅଦାଲତ କହିଛନ୍ତି ଯେ ଏହି ସମ୍ପୂର୍ଣ୍ଣ ବିବାଦର ଏକ ‘ସାମଗ୍ରିକ ସମୀକ୍ଷା’ ଆବଶ୍ୟକ ଏବଂ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ କେନ୍ଦ୍ର ସରକାର ଏବଂ ‘ଏକ୍ସ’ କମ୍ପାନୀର ଆନୁଷ୍ଠାନିକ ପକ୍ଷ ଶୁଣିବା ପରେ ହିଁ କୋର୍ଟ କୌଣସି ଚୂଡ଼ାନ୍ତ ଆଦେଶ ପ୍ରଦାନ କରିବେ ।
ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ଓକିଲକୁ ଆଶ୍ୱାସନା ଦେଇଛନ୍ତି ଯେ ସରକାରଙ୍କ ଆପତି ଓ ଦିଲିଲ ଉପରେ ବିଚାର କରିବା ପୂର୍ବରୁ କୋର୍ଟ କୌଣସି ଏକତରଫା ନିଷ୍ପତି ନେବେ ନାହିଁ । ଦେଶର ଯୁବପିଢ଼ିଙ୍କୁ ନେଇ ସୃଷ୍ଟି ହୋଇଥିବା ଏକ ବିବାଦୀୟ ବ୍ୟାଖ୍ୟାନ ଉପରେ ଏହି ସଂଗଠନ ଏକ ମଜାକ ଭାବେ ଆରମ୍ଭ ହୋଇଥିଲା ।
ମାତ୍ର ଖୁବଶୀଘ୍ର ବିରୋଧୀ ଦଳ ଓ ଯୁବବର୍ଗଙ୍କ ସମର୍ଥନ ଯୋଗୁଁ ଇନଷ୍ଟାଗ୍ରାମରେ ଏହା ବିଜେପିକୁ ମଧ୍ୟ ପଛରେ ପକାଇ ଦେଇଥିଲା ।
ଏହି ବୃଦ୍ଧି ମଧ୍ୟରେ ସରକାରୀ ନିର୍ଦେଶରେ ଏହାର ‘ଏକ୍ସ’ ଆକାଉଂଟ ବ୍ଲକ କରାଯାଇଥିଲା, ଯାହା ବିରୋଧରେଏବେ ଆଇନଗତ ଲଢ଼େଇ ଜାରି ରହିଥିବା ପରିଲକ୍ଷିତ ହୋଇଛି ।