ଏବେ ଆସିବ ପ୍ଲାଷ୍ଟିକ ନୋଟ
ସଂପ୍ରତି ସମଗ୍ର ଦେଶରେ ଡିଜିଟାଲ ପେମେଂଟ ମାଧ୍ୟମକୁ ଗୁରୁତ୍ୱ ଦିଆଯାଇଛି । ଯାହାଦ୍ୱାରା ଦେଶରେ ପ୍ରଚଳନରେ ଥିବା ମୁଦ୍ରା ରେକର୍ଡ ସ୍ତରକୁ ବୃଦ୍ଧି ପାଇଛି ।
ଯେହେତୁ ସାଧାରଣ ଲୋକମାନେ ପ୍ରତ୍ୟକ୍ଷ ଭାବେ ନୋଟ (ଟଙ୍କା) ଅଭ୍ୟାସ ଛାଡ଼ି ପାରୁନାହାଁନ୍ତି, ସେ ଦୃଷ୍ଟିରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ‘ପ୍ଲାଷ୍ଟିକ ନୋଟ’ ଆଣିବା ଉପରେ ବିଚାର ଆରମ୍ଭ କରିଛି । ବିଗତ ଦିନରେ ପାଟଣା, ମୁମ୍ବାଇରେ ଅନୁଷ୍ଠିତ ରିିଜର୍ଭ ବ୍ୟାଙ୍କ ବୋର୍ଡ ବୈଠକରେ ଏହି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା ।
କାଗଜ ନୋଟ ତୁଳନାରେ ପ୍ଲାଷ୍ଟିକ ବା ପଲିମରରେ ପ୍ରସ୍ତୁତ ନୋଟ ଅଧିକ ବ୍ୟବହାର ପାଇଁ ଯୋଗ୍ୟ ହୋଇପାରିବ । ଯାହାର ଛପାକାର୍ଯ୍ୟ ମଧ୍ୟ କମ୍ ଥିବାବେଳେ ସହଜରେ ନଷ୍ଟ ହେବ ନାହିଁ । ଏପରିକି ଏଟିଏମ କାଉଂଟରରେ ମଧ୍ୟ ଏହି ନୋଟ ସହଜରେ ବାହାରି ପାରିବ ।
ସେଥିପାଇଁ ରିଜର୍ଭ ବ୍ୟାଙ୍କ ଏହି ପ୍ଲାଷ୍ଟିକ ନୋଟ ଉପରେ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି । ଯାହାର ପରୀକ୍ଷଣ ଖୁବ ଶୀଘ୍ର ଆରମ୍ଭ କରାଯିବାର ସମ୍ଭାବନା ଦେଖାଦେଇଛି । ଏହା ବ୍ୟତୀତ କାଗଜ ନୋଟ ଛପାଯିବା ଓ ବ୍ୟବହାର କ୍ଷେତ୍ରରେ ଅଧିକ ଖର୍ଚ ହୋଇଥାଏ, ଯାହାକି ସେହି ତୁଳନାରେ ଏହି ପ୍ଲାଷ୍ଟିକ ନୋଟର ବ୍ୟୟଭାର କମ ରହିବ । ତେଣୁ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଏହି ସିଦ୍ଧାନ୍ତ ପ୍ରତି ବିଶେଷ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ ଚଳିତବର୍ଷ ମେ ୧୫ତାରିଖ ସୁଦ୍ଧା ପ୍ରଚଳନରେ ଥିବା ମୁଦ୍ରା ପରିମାଣ ୧୧.୫% ବୃଦ୍ଦି ପାଇଛି ।
ଯାହାକି ୪୨.୮୬ଲକ୍ଷ କୋଟି ଟଙ୍କା ହୋଇଛି । ଗତ କିଛି ମାସ ମଧ୍ୟରେ ଦେଶରେ ୧୦ଟଙ୍କିଆ ଓ ୨୦ ଟଙ୍କିଆ ନୋଟର ଚାହିଦା ବୃଦ୍ଧି ପାଇବାଦ୍ୱାରା ଏହି ଦୁଇଟି ନୋଟକୁ କଏନ ଜରିଆରେ ପୂରଣ କରିବା ଲାଗି ଗହଣ କରିଥିବା ପଦକ୍ଷେରୁ ବିଶେଷ କିଛି ସୁଫଳ ପାଇପାରୁ ନାହିଁ । ତେଣୁ ପ୍ଲାଷ୍ଟିକ ନୋଟ ଅଣାଯାଇପାରିଲେ ଏଭଳି ବିିଭିନ୍ନ କ୍ଷେତ୍ରରେ ସୁଫଳ ମିଳିବା ସମ୍ଭବ ହେବ ବୋଲି ରଜର୍ଭ ବ୍ୟାଙ୍କ ମନେ କରୁଛି ।
ଆହୁରି ଜଣାପଡ଼ିଛି ଯେ ଏହି ପ୍ଲାଷ୍ଟିକ ବା ପଲିମର ନୋଟ ଏଟିଏମଦ୍ୱାରା ଚିହ୍ନଟ ହେବା ସମ୍ଭବ ହେଉଛି । ଉଲ୍ଲେଖଯୋଗ୍ୟ ଯେ ସଂପ୍ରତି ବିଶ୍ୱର ୬୦ଟି ଦେଶରେ ଏହି ପଲିମର ନୋଟ ପ୍ରଚଳନ ହେଉଛି । ୧୯୮୮ ମସିହାରେ ଅଷ୍ଟ୍ରେଲିଆ ପ୍ରଥମେ ଏଭଳି ନୋଟ ପ୍ରଚଳନ କରିଥିଲା, ଯାହାକି ପରବର୍ତୀ ପର୍ଯ୍ୟାୟରେ ଇଣ୍ଡୋନେସିଆ, ସିଙ୍ଗାପୁର, ଥାଇଲ୍ୟାଣ୍ଡ, ମାଲେସିଆ, ରୋମାନିଆ, କାନାଡା ପ୍ରଭୃତ ଦେଶ ଏଭଳି ନୋଟ ଆଣିଥିଲେ । ତେଣୁ ଏହାକୁ ଗୁରୁତ୍ୱ ଦେଇ ଭାରତ ସଂପ୍ରତି ଏଭଳି ନୋଟ ପ୍ରଚଳନ ପ୍ରତି ଗୁରୁତ୍ୱ ଦେଉଥିବା ଜଣାପଡ଼ିଛି ।