ଉ. ପ୍ରଦେଶର ୪୬ ଜିଲାକୁ ଝଡ଼ବର୍ଷା ସତର୍କତା
ରାଜ୍ୟର ପଶ୍ଚିମ, ପୂର୍ବ, ତେରାଇ ଓ ରାଜଧାନୀ ଲକ୍ଷ୍ନୌ ସମେତ ବିଭିନ୍ନ ଅଂଚଳରେ ପ୍ରବଳ ବର୍ଷା ଓ ବଜ୍ରପାତ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ଗତ ଦୁଇଦିନ ମଧ୍ୟରେ ୧୬ଜଣଙ୍କ ମୃତ୍ୟୁ ଘଟିଛି । ଏହି କାଳବୈଶାଖୀ ଝଡ଼ ଯୋଗୁଁ ସାରା ରାଜ୍ୟରେ ଶତାଧିକ ଗଛ, ଟିଣ ଛାତ, ବିଦ୍ୟୁତ ଖୁଂଟ ଇତ୍ୟାଦି ଉପୁଡ଼ି ପଡ଼ିଛି ।
ପ୍ରବଳ ପବନ ଯୋଗୁଁ ରେଳଧାରଣା ଉପରେ ଗଛ ପଡ଼ିଯିବା ଓ ଓଭରହେଡ ବିଦ୍ୟୁତ ତାର ଛିଣ୍ଡିଯିବା ହେତୁ କାନପୁର-ଓରାଇ ସେକ୍ସନ ଏବଂ ଗୋରଖପୁର ଅଂଚଳରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ସ୍ଥଗିତ ହୋଇପଡ଼ିଛି । ଚଳିତ ବିପର୍ଯ୍ୟୟରେ ବୁନେ୍ଦଲଖଣ୍ଡ ଅଂଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି, ଯେଉଁଠାରେ ସର୍ବାଧିକ ୧୦ଜଣଙ୍କ ପ୍ରାଣହାନୀ ଘଟିଛି ।
ଅଂଚଳର ବାନ୍ଦା ଏବଂ ହାକିମପୁରରେ ତିନିଜଣ ଲେଖାଁ ଲୋକଙ୍କ ମୃତ୍ୟୁ ଘଟିଛି । ସେହିପରି ରାୟବରେଲି, ଆମ୍ବେଦକରନଗର, କୌଶାମ୍ଭୀ, ପ୍ରତାପଗଡ଼, ଆଜାମଗଡ଼, ବାଲିଆ, ଭଦୋହୀ, ଦେଓରିଆ, ଆଗ୍ରା, ମଥୁରା, ଉନ୍ମାଓ ଓ ଫତେହପୁର ଭଳି ଏକାଧିକ ଜିଲାରୁ ଅନେକଙ୍କ ମୃତ୍ୟୁ ଖବର ପ୍ରଶାସନ ନିକଟରେ ପହଂଚିଥିବା ଜଣାପଡ଼ିଛି ।
ତେବେ ଏହି ସମସ୍ତ ସତ୍ୟ କି ନୁହେଁ ତାହା ଯାଂଚ କାର୍ଯ୍ୟ ଚାଲିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ଜିଲା ମାଜିଷ୍ଟ୍ରେଟମାନଙ୍କୁ ଯୁଦ୍ଧକାଳୀନ ଭିତିରେ ରିଲିଫ ଓ ଉଦ୍ଦାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦେଶ ଦେଇଛନ୍ତି ।
ସେ କ୍ଷୟକ୍ଷତିର ଏକ ବ୍ୟାପକ ଆକଳନ କରିବା ସହ ପ୍ରଭାବିତ ଏବଂ ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି ।
ଅପରପକ୍ଷରେ ପାଣିପାଗ ବିଭାଗ ପକ୍ଷରୁ ଶନିବାର ପାଇଁ ଏକ ନୂଆ ସତର୍କତା ସୂଚନା ଜାରି କରାଯାଇ ରାଜ୍ୟର ୪୬ଟି ଜିଲାରେ ପ୍ରବଳ ଝଡ଼ବର୍ଷା ହେବା ଓ ୧୪ଟି ଜିଲାକୁ ଅତି ପ୍ରବଳ ଝଡ଼ବର୍ଷା ହେବାର ସତର୍କତା ଜାରି କରାଯାଇଛି ।