ଶାସକ ଦଳ ଘାତକ ହୋଇ ଉଠିଛି : ମମତା
ନିହତ ଜଣେ ଦଳୀୟ କର୍ମୀଙ୍କ ଘରକୁ ଯିବା ସମୟରେ ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀ ଆଜି ସାଧାରଣଙ୍କ ବିକ୍ଷୋଭର ମୁହଁରେ ସମ୍ମୁଖୀନ ହୋଇଥିଲେ ।
ଏପରିକି ରାସ୍ତାରେ ତାଙ୍କୁ କିଛି ଅଜଣା ବ୍ୟକ୍ତି ମାରଧର କରିବା ସହ ଜାମା ଛିଣ୍ଡାଇଦେବା ଓ ତାଙ୍କ ଉପରକୁ ଅଣ୍ଡା, ଚପଲ ପକାଇଥିବା ଅଭିଯୋଗ ହୋଇଛି । ଶନିବାର ଅପରାହ୍ନରେ ସୋନାରପୁର ଘଟଣାକୁ ନେଇ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ‘ଏକ୍ସ’ରେ କହିଛନ୍ତି ଯେ ‘ସଂପ୍ରତି ଶାସକ ଦଳ ଘାତକ ଦଳ ହୋଇ ଅବତୀର୍ଣ୍ଣ ହୋଇଛି ।
ତେଣୁ ଏହି କ୍ଷେତ୍ରରେ ବିଜେପିକୁ ଲଜ୍ଜା ହେବା ଉଚିତ । ସମଗ୍ର ବିଷୟକୁ ନେଇ କେବଳ ତୃଣମୂଳ କଂଗ୍ରେସ ନୁହେଁ ଦେଶର ସମସ୍ତ ବିରୋଧୀ ଦଳ ପ୍ରତିବାଦମୁଖର ହୋଇ ଉଠିଥିବା ପରିଲକ୍ଷିତ ହୋଇଛି । ବିଷୟକୁ ନେଇ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ବିଜେପିକୁ ନିନ୍ଦା କରିଛନ୍ତି ।
ଅନ୍ୟପକ୍ଷରେ ବିଜେପିର ଦାବି ଯେ ସୋନାରପୁର ଘଟଣା ସହ ସେମାନଙ୍କ କୌଣସି ଯୋଗ ନାହିଁ ।
ଘଟଣା ସମ୍ପର୍କରେ ବିଜେପି ରାଜ୍ୟ ସଭାପତି ସମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ଏହି ଘଟଣା ସହ ବିଜେପି ଯୁକ୍ତ ନାହିଁ । ତୃଣମୂଳ ଦକ୍ଷିଣ ୨୪ପ୍ରଗଣାରେ ଗତ ପାଂଚବର୍ଷ ଧରି ଯେଉଁ ଅତ୍ୟାଚାର କରି ଆସିଛି, ସେ କ୍ଷେତ୍ରରେ ବିଜେପି ଚାହିଁଲେ ତୃଣମୂଳ ନେତା ଓ କର୍ମୀମାନେ ଘରୁ ବାହାରି ପାରି ନଥାଆନ୍ତେ, କିନ୍ତୁ ବିଜେପି ବିିଭିନ୍ନ କ୍ଷେତ୍ରରେ ସଂଯମ ଆଚରଣ ପ୍ରଦର୍ଶନ କରିବାଦ୍ୱାରା ତୃଣମୂଳ କଂଗ୍ରେସ ନେତାମାନେ ଏଭଳି ଭାବେ ବାହାରକୁ ବାହାରିବା ସମ୍ଭବ ହୋଇଛି ।
ଅଭିଷେକଙ୍କ ଉପରେ ହାମଲା ପ୍ରତିବାଦରେ ସମାଜମାଧ୍ୟମରେ ତୃଣମୂଳ ବିବୃତି ଦେଇ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ ‘ନୃଶଂସ ଆକ୍ରମଣ ପରେ ମଧ୍ୟ ସଞ୍ଜୁ କର୍ମଚାରଙ୍କ ଘରକୁ ଯାଇ ଶୋକାହତ ପରିବାରକୁ ଅଭିଷେକ ବାନାର୍ଜୀ ସାକ୍ଷାତ କରି ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି ।
ସେହିପରି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ସମାଜ ମାଧ୍ୟମରେ ଲେଖିଛନ୍ତି ଯେ ଅଭିଷେକଙ୍କ ଉପରେ ଯେଉଁଭାବେ ଆକ୍ରମଣ କରାଗଲା ତାହା ଅତ୍ୟନ୍ତ ନିନ୍ଦନୀୟ । ମୂଳତଃ ଇଚ୍ଛାକୃତ ଭାବେ ପର୍ଯ୍ୟାପ୍ତ ପୁଲିସ ନିରାପତା ଅଭାବ ହିଁ ବିଜେପିର ପ୍ରତିହିଂସା ଓ ନିପୀଡ଼ନ ରାଜନୀତି ବିଷୟକୁ ସ୍ପଷ୍ଟ କରିଛି ।
ତେବେ ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ ଅବିଳମ୍ବ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇଛି । ସେହିପରି ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଘଟଣାକୁ ତୀବ୍ର ସମାଲୋଚନା କରିଛନ୍ତି ।