ଓଡ଼ିଶାରେ ୫% କମିଲା ଜିଏସଟି ସଂଗ୍ରହ
ଚଳିତବର୍ଷ ମେ ମାସରେ ଓଡ଼ିଶାରେ ସାମଗ୍ରୀ ଓ ସେବା ଟିକସ (ଜିଏସଟି) ସଂଗ୍ରହ ୫% ହ୍ରାସ ପାଇଛି ।
ଏହି ମାସରେ ରାଜ୍ୟରେ ୪୦୫୦ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଥିଲା । ଏହା ୨୦୨୫ ମେ ମାସରେ ହୋଇଥିବା ୪୨୬୪ କୋଟି ଟଙ୍କା ତୁଳନାରେ କମ ।
ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶକୁ ବାଦ ଦେଲେ ଅନ୍ୟ ସମସ୍ତ ରାଜ୍ୟରେ ଜିଏସଟି ଆଦାୟ ହ୍ରାସ ପାଇଥିବା କେନ୍ଦ୍ର ସରକାରଙ୍କ ତରଫରୁ ଜାରି କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି । ତେବେ ଦେଶରେ ମେ ମାସରେ ଜିଏସଟି ସଂଗ୍ରହ ୩.୧୨ ପ୍ରତିଶତ ବୃଦ୍ଧି ପାଇ ୧.୯୪ ଲକ୍ଷ କୋଟି ଟଙ୍କା ହୋଇଛି ।
ଆମଦାନୀରୁ ଟିକସ ସଂଗ୍ରହ ବଢ଼ିଥିବାରୁ ଏହି ମାସରେ ଏତେ ଅଧିକ ପରିମାଣର ଜିଏସଟି ସଂଗ୍ରହ କରାଯାଇଛି । ୨୦୨୫ ମେ ମାସରେ ୧.୮୮ ଲକ୍ଷ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଥିଲା ।
ଚଳିତବର୍ଷ ମେ ମାସରେ ୪୭,୩୯୭ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସଟି, ୪୫,୧୪୩ କୋଟି ଟଙ୍କାର ରାଜ୍ୟ ଜିଏସଟି ଓ ୫୧,୯୯୦ କୋଟି ଟଙ୍କାର ସମନ୍ୱିତ ଜିଏସଟି ସଂଗ୍ରହ କରାଯାଇଛି । ଆଲୋଚ୍ୟ ମାସରେ ଟିକସଯୁକ୍ତ ସାମଗ୍ରୀ ଯୋଗାଣରେ ୨୬.୯ ପ୍ରତିଶତ ଓ ସେବାର ୨୨.୨ ପ୍ରତିଶତ ବୃଦ୍ଧି ଘଟିଛି ।
ଏହା ଦେଶରେ ଚାହିଦା ଉଲ୍ଲେଖନୀୟ ରହିଥିବାରୁ ଦର୍ଶାଯାଉଛି । ସେହିପରି ଆଇଜିଏସଟିରେ ୧୯.୧ ପ୍ରତିଶତ ବୃଦ୍ଧି ଶିଳ୍ପ କାର୍ଯ୍ୟକଳାପ ତ୍ୱରାନ୍ୱିତ ହେବାକୁ ଜଣାଉଛି ।
ଚଳିତବର୍ଷ ଏପ୍ରିଲରେ ରେକର୍ଡ ୨.୪୩ ଲକ୍ଷ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଥିଲା ।