ଭାରତୀୟ ବୀର ସେନାଙ୍କ ପାଇଁ ବଡ଼ ଘୋଷଣା
ଦେଶ ସୁରକ୍ଷା ପାଇଁ ସାହସିକତା ପ୍ରଦର୍ଶନ କରିଥିବା ବୀର ସୈନିକଙ୍କ ସମ୍ମାନାର୍ଥେ କେନ୍ଦ୍ର ସରକାର ଏକ ଐତିହାସିକ ନିଷ୍ପତି ଗ୍ରହଣ କରିଛନ୍ତି ।
ଭାରତୀୟ ସ୍ଥଳସେନା, ନୌସେନା ଓ ବାୟୁସେନାର ସମସ୍ତ ଗ୍ୟାଲେଂଟ୍ରି (ବୀରତ୍ୱ) ପଦକ ବିଜେତାଙ୍କୁ ଏଣିକି ଭାରତୀୟ ରେଳବାଇରେ ଆଜୀବନ ମାଗଣା ଯାତ୍ରା ସୁବିଧା ଯୋଗାଇ ଦିଆଯିବ ।
ପ୍ରତିରକ୍ଷା ମନ୍ତ୍ରଣାଳୟଦ୍ୱାରା ଅନୁମୋଦିତ ଏହି ନୂତନ ନିୟମ ଅନୁଯାୟୀ କେବଳ ପଦକ ବିଜେତା ନୁହଁନ୍ତି, ବରଂ ସେମାନଙ୍କ ପରିବାରର ନିର୍ଦ୍ଦିଷ୍ଟ ସଦସ୍ୟ ଓ ଜଣେ ସହଯୋଗୀ ମଧ୍ୟ ଏହି ସୁବିଧା ପାଇପାରିବେ ।
ପ୍ରଥମ ଶ୍ରେଣୀ ଏବଂ ଦ୍ୱିତୀୟ ଶ୍ରେଣୀ ଏସି ଭଳି ପ୍ରିମିୟମ ବର୍ଗରେ ଏହି ମାଗଣା ଯାତ୍ରା ସୁବିଧା କାର୍ଯ୍ୟକାରୀ ହେବାକୁ ଯାଉଥିବାବେଳେ ଏହା ହଜାର ହଜାର ସାମରିକ ପରିବାରକୁ ଉପକୃତ କରିବାରେ ସମର୍ଥ ହେବ ବୋଲି କୁହାଯାଇଛି ।
ଏହି ଯୋଜନା ଅଧିନରେ ପଦକ ବିଜେପତାଙ୍କ ବ୍ୟତୀତ ସେମାନଙ୍କ ସ୍ୱାମୀ/ସ୍ତ୍ରୀ ଏହି ସୁବିଧା ପାଇବାକୁ ଯୋଗ୍ୟ ବିବେଚିତ ହେବେ । ଯଦି ଜଣେ ଅବିବାହିତ ସୈନିକ ମରଣୋତର ଭାବେ ଏହି ପଦକ ପାଇଥାଆନ୍ତି, ତେବେ ତାଙ୍କ ପିତାମାତାଙ୍କୁ ମଧ୍ୟ ଏହି ମାଗଣା ଯାତ୍ରା ସୁବିଧା ମିଳିବ ।
ବୀର ଯୋଦ୍ଧାଙ୍କୁ ସମ୍ମାନଜନକ ଓ ଆରାମଦାୟକ ଯାତ୍ରା ପ୍ରଦାନ କରିବା ଲକ୍ଷ୍ୟରେ ରେଳବାଇ ପକ୍ଷରୁ ପ୍ରଥମ ଶ୍ରେଣୀ, ଦ୍ୱିତୀୟ ଶ୍ରେଣୀ ଏସି ଓ ଏସି ଚେୟାର କାରରେ ଯାତ୍ରା ପାଇଁ ଅନୁମତି ଦିଆଯାଇଛି ।
ସରକାରଙ୍କ ପଦକ୍ଷେପ ବୀର ସନ୍ତାନଙ୍କ ସର୍ବୋଚ୍ଚ ବଳିଦାନ ପ୍ରତି ଏକ ଗଭୀର କୃତଜ୍ଞତା ବୋଲି ପ୍ରତିରକ୍ଷା ବିଭାଗ ଅଧିକାରୀମାନେ କହିଛନ୍ତି । ବିଶେଷ କରି ଭାରତର ସର୍ବୋଚ୍ଚ ସାହସିକତା ସମ୍ମାନ ଯଥା ପରମବୀର ଚକ୍ର, ମହାବୀର ଚକ୍ର, ବୀର ଚକ୍ର, ଅଶୋକ ଚକ୍ର, କୀର୍ତି ଚକ୍ର ଓ ଶୌର୍ଯ୍ୟ ଚକ୍ର ବିଜେତାମାନେ ଏହି ବିଶେଷ ସୁବିଧା ପାଇବା ପାଇଁ ବିବେଚିତ ହେବେ ।