ନୀଳଚକ୍ର ନିକଟରେ ଉଡିଲା ଡ୍ରୋନ
ବୁଧବାର ଅପରାହ୍ଣରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତିମଣତି ଜାରି ଥିବାବେଳେ କେତେକ ଖଳ ପ୍ରକୃତର ଲୋକ ଶ୍ରୀମନ୍ଦିର ପ୍ରଶାସନ ଓ ସରକାରୀ ନିୟମକୁ ବେଖାତିର କରି ଡ୍ରୋନ୍ ଉଡାଇଥିବା ଜଣାପଡ଼ିଛି ।
ଏହି କିଛି ଲୋକ ଶ୍ରୀମନ୍ଦିରର ଲାଇଭ ଭିଡ଼ିଓ ଉତୋଳନ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଅପରାହ୍ଣ ପ୍ରାୟ ସାଢ଼େ ୫ଟା ସମୟରେ ଏହି ଉଦ୍ୟମ କରାଯାଇଥିବା ଜଣାପଡ଼ିଛି ।
ଜଣାପଡ଼ିଛି ଯେ ନୀଳଚକ୍ରରେ ଚୁନରା ସେବାୟତମାନେ ବାନା ବାନ୍ଧୁଥିବାବେଳେ ଦ୍ରୁତଗାମୀ ଡ୍ରୋନଟି ବୁଲୁଥିଲା । ଯେଉଁ ଯୁବକମାନେ ଏହି କାର୍ଯ୍ୟ କରିଛନ୍ତି ସେମାନେ ପଶ୍ଚିମବଙ୍ଗର ବାସିନ୍ଦା ବୋଲି ଜଣାପଡ଼ିଛି ।
ଦୁଇଜଣ ଯୁବକ ଥିଲେ, ସେମାନଙ୍କ ମଧ୍ୟରୁ ଜଣେ କୋନ୍ନନଗର ଅଂଚଳର କଲ୍ୟାଣ ଦାସ ଓ ଅନ୍ୟ ଜଣେ ରିଷଡ଼ା ଅଂଚଳର ସମ୍ରାଟ ବିଶ୍ୱାସ ।
ପତିତପାବନ ବାନା ବନ୍ଧା ଦୃଶ୍ୟ ସୁଟିଂ ନିମିତ ଏମାନେ ଏହି ଡ୍ରୋନ ଉଡାଇଥିଲେ ବୋଲି ସ୍ୱୀକାର କରିଛନ୍ତି । ତେବେ କଟକଣା ବାବଦରେ ସେମାନେ ଅଜ୍ଞ ଥିଲେ ବୋଲି କହିଛନ୍ତି ।
ସିଂହଦ୍ୱାର ଥାନା ପୁଲିସ ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଛି । ପୁଲିସ ସୂତ୍ରରୁ ଆହୁରି ଜଣାପଡ଼ିଛି ଯେ ଏମାନେ ପୁରୀର ମାଟିମଣ୍ଡପ ସାହିରୁ ଡ୍ରୋନ୍ଟିକୁ ପରିଚାଳନା କରୁଥିଲେ ।
ଘଟଣା ସମ୍ବନ୍ଧରେ ଜାଣିପାରି ପୁଲିସ ତୁରନ୍ତ ଉଭୟଙ୍କୁ ଧରିଥିଲା ।