ଘର ନିକଟ ପିଏନଜି ନ ନେଲେ କଟିଯିବ ଏଲପିଜି ସଂଯୋଗ
ଯଦି ଆପଣଙ୍କ ଘର ନିକଟରେ ଏକ ପିଏନଜି ଗ୍ୟାସ ପାଇପଲାଇନ ରହିଛି ଓ ଆପଣ ପିଏନଜି ସଂଯୋଗ ନେଇ ନାହାଁନ୍ତି, ତେବେ ଆଗାମୀ ତିନି ମାସ ମଧ୍ୟରେ ଆପଣଙ୍କର ଏଲ୍ପିଜି ସିଲିଣ୍ଡର ଯୋଗାଣ ବନ୍ଦ ହୋଇଯିବ ।
ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଓ ଗ୍ୟାସ ଅଭାବକୁ ଦୃଷ୍ଟିରେ ରଖି କେନଦ୍ର ସରକାର ପ୍ରାକୃତିକ ଗ୍ୟାସ ଏବଂ ପେଟ୍ରୋଲିୟମ ଉତ୍ପାଦ ବଂଟନ ଆଦେଶ ୨୦୨୬ କାର୍ଯ୍ୟକାରୀ କରିଛନ୍ତି । ଏହା ଅଧିନରେ ଏବେ ପାଇପ୍ ଗ୍ୟାସ ସଂଯୋଗ ନେବା ବାଧ୍ୟତାମୂଳକ ହେବ ।
ଏହା ପୂର୍ବରୁ ଏକ ନୋଟିସ ଜାରି କରାଯିବ । ଯଦି କେହି ନୋଟିସ ପାଇବା ପରେ ମଧ୍ୟ ସଂଯୋଗ ନେବେ ନାହିଁ, ତେବେ ୯୦ଦିନ ପରେ ସେମାନଙ୍କ ଏଲପିଜି ଯୋଗାଣ ବନ୍ଦ କରି ଦିଆଯିବ । ଆବାସିକ ସୋସାଇଟିଗୁଡ଼ିକୁ ମଧ୍ୟ ପାଇପ ଲାଇନ ଅନୁମୋଦନ ନେବାକୁ ହେବ ।
ପିଏନଜି ପାଇପଲାଇନ ପାଇଁ ଆବାସିକ ସୋସାଇଟିଗୁଡ଼ିକୁ ୩ଦିନ ମଧ୍ୟରେ ଦେବାକୁ ପଡ଼ିବ । ହାଉସିଂ ସୋସାଇଟି କିମ୍ବା ଆବାସିକ କଲ୍ୟାଣ ସଂଘର ବିରୋଧ ଯୋଗୁ ପାଇପଲାଇନ କାମ ପ୍ରାୟତଃ ଅଟକି ରହିଛି । ଆଗକୁ ଆଉ ଏପରି ହେବ ନାହିଁ ।
ଯଦି କୌଣସି କମ୍ପାନୀ ପାଇପଲାଇନ ପାଇଁ ରାସ୍ତା ମାଗେ ତେବେ ସୋସାଇଟିକୁ ୩ଦିନ ମଧ୍ୟରେ ଅନୁମୋଦନ ଦେବାକୁ ପଡ଼ିବ । ଯଦି ସୋସାଇଟି ମନା କରେ କିମ୍ବା ବିଳମ୍ବ କରେ, ତେବେ ସେଠାରେ ରହୁଥିବା ସମସ୍ତ ଘରକୁ ଏଲପିଜି ଯୋଗାଣ ବନ୍ଦ ହୋଇଯିବ ।
ଛୋଟ ଅଂଚଳଗୁଡ଼ିକୁ ୧୦ଦିନ ମଧ୍ୟରେ ଓ ବଡ଼ ଲାଇନ ପାଇଁ ୬୦ଦିନ ମଧ୍ୟରେ ଅନୁମୋଦନ ବାଧ୍ୟତାମୂଳକ । ଯଦି ବିଭାଗ ନିର୍ଦ୍ଦାରିତ ସମୟ ମଧ୍ୟରେ ଉତର ନ ଦିଏ, ତେବେ ଏହାକୁ ସ୍ୱୟଂଚାଳିତ ଅନୁମୋଦନ ଭାବେ ବିବେଚନା କରାଯିବ ।
ସେହିପରି ମାର୍ଚ ୧୪ ତାରିଖରେ ସରକାର ପିଏନଜି ସଂଯୋଗ ସମ୍ପର୍କରେ ନୂତନ ନିୟମ ଜାରି କରିଥିଲେ । ଏହି ନିୟମ ଅନୁଯାୟୀ ଯଦି ଆପଣଙ୍କ ଘରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ ସଂଯୋଗ ଅଛି, ତେବେ ଆପଣଙ୍କୁ ଏଲ୍ପିଜି ସିଲିଣ୍ଡର ହସ୍ତାନ୍ତର କରିବାକୁ ପଡ଼ିବ ।
ନୂତନ ନିର୍ଦେଶ ଅନୁଯାୟୀ ପିଏନଜି ଉପଭୋକ୍ତାମାନେ ନୂତନ ଏଲପିଜି ସଂଯୋଗ ପାଇବେ ନାହିଁ, କିମ୍ବା ସେମାନଙ୍କ ପୁରୁଣା ସିଲିଣ୍ଡରକୁ ପୁନଃପୂରଣ କରାଯିବ ନାହିଁ ।
ସରକାର ପୂର୍ବରୁ ଚାରି ଥର ଏଲପିଜି ସିଲିଣ୍ଡର ଯୋଗାଣ ସମ୍ପର୍କରେ ନୂତନ ନିୟମ ଜାରି କରିଛନ୍ତି ।