ଢେଙ୍କାନାଳରେ ହେବ ଜେଏସଡବ୍ଲ୍ୟୁ-ପୋସ୍କୋ କାରଖାନା
ଶିଳ୍ପପତି ସଜ୍ଜନ ଜିନ୍ଦଲଙ୍କ କମ୍ପାନୀ ଜେଏସଡବ୍ଲ୍ୟୁ ଷ୍ଟିଲ ଓ ଦକ୍ଷିଣ କୋରିଆର ପୋସ୍କୋ ମଧ୍ୟରେ ଯୌଥ ଉଦ୍ୟୋଗ ସ୍ଥାପନକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ଆଜି ସ୍ୱାକ୍ଷରିତ ହୋଇଛି ।
ଉଭୟ କମ୍ପାନୀ ମିଶି ଓଡ଼ିଶାରେ ବାର୍ଷିକ ୬ ନିୟୁତ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ସ୍ଥାପନ କରିବେ ।
ଏହି କାରଖାନା କେଉଁ ସ୍ଥାନରେ ପ୍ରତିଷ୍ଠା ହେବ ତାହା ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜିଲା କେନ୍ଦୁଝରରେ ଉକ୍ତ କାରଖାନା ନିର୍ମାଣ କରାଯିବ ବୋଲି ବ୍ୟାପକ ପ୍ରଚାର ହେଉଥିଲା । କିନ୍ତୁ ଜେଏସଡବ୍ଲ୍ୟୁ ଗ୍ରୁପ ପକ୍ଷରୁ ଆଜି ସୂଚନା ଦିଆଯାଇଛି ଯେ ପ୍ରସ୍ତାବିତ କାରଖାନା ଢେଙ୍କାନାଳ ଜିଲାରେ ସ୍ଥାପନ କରାଯିବ ।
ସେଠାରେ କମ୍ପାନୀ ପାଖରେ ପୂର୍ବରୁ ଜମି ଥିବା ଜେଏସଡବ୍ଲ୍ୟୁ ଜଣାଇଛି । ପ୍ରସ୍ତାବିତ କାରଖାନାରେ ଅଟୋମୋବାଇଲ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ପାଇଁ ଉଚ୍ଚ ମାନର ଇସ୍ପାତ ଉତ୍ପାଦନ କରାଯିବ । ଏହି ପ୍ରକଳ୍ପରେ ୩୫ହଜାର କୋଟି ଟଙ୍କା ନିବେଶ ହେବ । ମଙ୍ଗଳବାର ନୂଆଦିଲ୍ଲୀରେ ଅନୁଷ୍ଠତ ଭାରତ-କୋରିଆ ବ୍ୟବସାୟ ସମ୍ମିଳନୀ ଅବସରରେ ଜେଏସଡବ୍ଲ୍ୟୁ ଓ ପୋସ୍କୋ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା ।
ଜେଏସଡବ୍ଲ୍ୟୁ ଗ୍ରୁପର ସମ୍ପୂର୍ଣ୍ଣ ସହାୟକ କମ୍ପାନୀ ସାଫ୍ରନ ରିସୋର୍ସେସ ଜରିଆରେ ଢେଙ୍କାନାଳ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ । ୨୦୨୫ରେ ଏହି କମ୍ପାନୀକୁ ଜେଏସଡବ୍ଲ୍ୟୁ ଅଧିଗ୍ରହଣ କରିଥିଲା । ଜେଏସଡବ୍ଲ୍ୟୁ-ପୋସ୍କୋ ପ୍ରକଳ୍ପ ଓଡ଼ିଶା ପାଇଁ ବିଶେଷ ଗୁରୁତ୍ୱ ରଖୁଛି । କାରଣ ୫୨ହଜାର କୋଟି ଟଙ୍କା ନିବେଶରେ ୧୨ ନିୟୁତ ଟନ କ୍ଷମତା ବିଶିଷ୍ଟ ଏକ ବିଶାଳ ଇସ୍ପାତକାରଖାନା ବସାଇବା ପାଇଁ ୧୨ବର୍ଷ ସଂଘର୍ଷ କରି ବିଫଳ ହୋଇଥିବା ପୋସ୍କୋ ପୁଣି ଥରେ ଓଡ଼ିଶା ଫେରିବ ବୋଲି ଜଣାପଡ଼ିଛି ।
୨୦୦୫ରେ ପୋସ୍କୋ ଜଗତସିଂହପୁରରେ ଇସ୍ପାତ କାରଖାନା ସ୍ଥାପନ କରିବାକୁ ରଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲା, କିନ୍ତୁ ଜମି ଅଧିଗ୍ରହଣକୁ ସ୍ଥାନୀୟ ଲୋକମାନେ ତୀବ୍ର ବିରୋଧ କରିବାରୁ ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢ଼ିପାରି ନଥିଲା ।
ଶେଷରେ ୨୦୧୭ ମସିହାରେ କମ୍ପାନୀ ନିଜ ଆଡକୁ ପ୍ରକଳ୍ପରୁ ଓହରିଯାଇଥିଲା