ଲିଟର ପିଛା ପେଟ୍ରୋଲରେ ୨୪ ଓ ଡିଜେଲରେ ୧୦୫ଟଙ୍କା କ୍ଷତି
ଯଦି ତୈଳ ବିପଣନ କମ୍ପାନୀଗୁଡ଼ିକୁ ଖର୍ଚ ବହନ କରିବାକୁ ଅନୁମତି ଦିଆଯିବ, ତେବେ ଦିଲ୍ଲୀରେ ଡିଜେଲ ମୂଲ୍ୟ ଲିଟର ପିଛା ୧୯୩ଟଙ୍କା ଓ ପେଟ୍ରୋଲ ୧୧୯ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବ ।
ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅନୁସାରେ ତେଲ କମ୍ପାନୀଗୁଡ଼ିକ ଏବେ ପେଟ୍ରୋଲରେ ଲିଟର ପିଛା ୨୪ଟଙ୍କା ୪୦ ପଇସା, ଡିଜେଲରେ ୧୦୪ଟଙ୍କା ୯୯ ପଇସା କ୍ଷତି ସହୁଛନ୍ତି । ଦିଲ୍ଲୀରେ ବର୍ତମାନ ପେଟ୍ରୋଲ ଲିଟର ୯୪ଟଙ୍କା ୭୭ ପଇସା ଏବଂ ଡିଜେଲ ୮୭ଟଙ୍କା ୬୭ପଇସା ରହିଛି ।
ଯଦି ତୈଳ କମ୍ପାନୀଗୁଡ଼ିକ ନିଜ କ୍ଷତି ବୋଝ ବହନ କରିବାକୁ ମନା କରିବେ ଓ ସରକାର ସେଥିପାଇଁ ସେମାନଙ୍କୁ ଅମୁତି ଦେବେ, ତେବେ ଉଭୟ ତେଲର ଦାମ ଯଥେଷ୍ଟ ବଢ଼ିଯିବ । ପଶ୍ଚିମ ଏସିଆ ସଂକଟର ଅସ୍ଥିରତା ସତ୍ୱେ ଭାରତରେ ସାଧାରଣ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଅପରିବର୍ତିତ ରହିଛି ।
ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତ ିଯେ ଭାରତ ଏକମାତ୍ର ଦେଶ ଯେଉଁଠାରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ବୃଦ୍ଧି ନ ହୋଇ ମଧ୍ୟ ଯୋଗାଣ ବଜାୟ ରଖାଯାଇଛି । ବିଶ୍ୱର ଅନ୍ୟ କୌଣସି ଦେଶ ନାହିଁ, ଯିଏ ସଂକଟରେ ସମ୍ପୂର୍ଣ୍ଣ ଭାର ନିଜେ ବହନ କରିଛି ବୋଲି ସେ କହିଛନ୍ତି ।
ସେହିପରି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ସଂପ୍ରତି ଘୋଷଣା କରାଯାଇଥିବା ମୂଲ୍ୟରେ ୨ଟଙ୍କା ସଂଶୋଧନ କେବଳ ପ୍ରିମିୟମ ପେଟ୍ରୋଲ ଭାରିଆଂଟ ପାଇଁ ହୋଇଛି, ଯେଉଁଥିରେ ଏକ୍ସପି ୯୫, ପାୱାର ୯୫ ଓ ସ୍ପିଡ ଅନ୍ତର୍ଭୁକ୍ତ । ଯାହାର ମୂଲ୍ୟ ପ୍ରତି ୧୫ଦିନ ଆଧାରରେ ସଂଶୋଧନ କରାଯାଇଥାଏ ।
ଏହି ଉତ୍ପାଦଗୁଡ଼ିକର ବିକ୍ରୟ ମୋଟ ପରିମାଣର ୨ ପ୍ରତିଶତ ଏବଂ ୫ ପ୍ରତିଶତ ମଧ୍ୟରେ ସୀମିତ ରହିଛି । ମନ୍ତ୍ରଣାଳୟ ପକ୍ଷରୁ ଆହୁରି କୁହାଯାଇଛି ଯେ ଭାରତର ପ୍ରତ୍ୟେକ ପମ୍ପ ସାଧାରଣ ପେଟ୍ରୋଲ ଓ ଡିଜେଲକୁ ମୂଲ୍ୟ ଅପରିବର୍ତିତ ରହିଛି, କିନ୍ତୁ ବିଶ୍ୱର ବିଭିନ୍ନ ଦେଶରେ ମୂଲ୍ୟ ୩୦-୫୦ ପ୍ରତିଶତ ବୃଦ୍ଧି ପାଇଛି ।
ଶlହା କହିଥିଲେ ଯେ ଭିଏତନାମରେ ପେଟ୍ରୋଲିୟମ ଉତ୍ପାଦ ମୂଲ୍ୟ ପ୍ରାୟ ୫୦ ପ୍ରତିଶତ, ପାକିସ୍ତାନରେ ୧୭-୨୦ ପ୍ରତିଶତ, ୟୁରୋପରେ ୨୦-୩୦ ପ୍ରତିଶତ, ୟୁକେରେ ୭-୧୩ ପ୍ରତିଶତ, ଅଷ୍ଟ୍ରେଲିଆରେ ୧୮ ପ୍ରତିଶତ, ଆମେରିକାରେ ୧୭-୩୪ ପ୍ରତିଶତ, କାମ୍ବୋଡିଆରେ ୧୯ ପ୍ରତିଶତ ଏବଂ ନାଇଜେରିଆରେ ୪୦-୪୮ ପ୍ରତିଶତ ବୃଦ୍ଧି ପାଇଛି ।