ଦିଲ୍ଲୀରେ ଭୟାବହ ଅଗ୍ନି୍କାଣ୍ଡ, ୯ ମୃତ
ଦିଲ୍ଲୀ ବିବେକ ବିହାରର ଏକ ଅଟ୍ଟାଳିକାରେ ରବିବାର ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି ।
ଅଗ୍ନିକାଣ୍ଡରେ ୯ଜଣଙ୍କ ମୃତ୍ୟୁ ଘଟିଛି ।
ଗତକାଲି ବିଳମ୍ବିତ ରାତ୍ରି ପ୍ରାୟ ୪ଟା ସମୟରେ (୩ଟା ୪୭ମିନିଟ) ଏହି ଅଗ୍ନିକାଣ୍ଡ ଘଟିଥିଲା ।
ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । ପରେ ମୃତାହତଙ୍କ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ଫ୍ଲାଟର ଦ୍ୱିତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା । ପରେ ନିଆଁ ତୃତୀୟ ମହଲାକୁ ବ୍ୟାପିଥିଲା ।
ଲୋକମାନେ ନିଜକୁ ବଂଚାଇବା ପାଇଁ ଫ୍ଲାଟ ବାହାରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଇଲେକ୍ଟ୍ରିକ ଚାବି (ଲକ) ଯୋଗୁଁ ଫସି ଯାଇଥିଲେ । ଯାହାଦ୍ୱାରା ସେମାନଙ୍କ ଅଗ୍ନିକାଣ୍ଡରେ ମୃତ୍ୟୁ ଘଟିଛି ବୋଲି ପୁଲିସ ସନେ୍ଦହ କରୁଛି । ଅଗ୍ନିକାଣ୍ଡ ଏକ ଏସି ମେସିନ ବିସ୍ଫୋରଣ ଯୋଗୁଁ ଘଟିଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।
ଖବର ପାଇ ଅଗ୍ନିଶମ ବାହିନୀର ୧୪ଟି ଇଞ୍ଜିନ ଆସି ଉଦ୍ଧାର କାର୍ଯ୍ୟ ଚଳାଇବା ସହ ନିଆଁକୁ ଆୟତ କରିଥିଲେ । ୧୨ଜଣଙ୍କୁ ଉଦ୍ଧାର କରିବାରେ ଅଗ୍ନିଶମ ବାହିନୀ ସଫଳ ହୋଇଛନ୍ତି ।
ମୃତ୍ୟୁ ସଂଖ୍ୟା ୯ ହୋଇଥିବାବେଳେ ୪ଜଣଙ୍କୁ ଗୁରୁତର ଅବସ୍ଥାରେ ହାସପାତାଳରେ ଭର୍ତି କରାଯାଇଛି ।
ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।